ଗୌହାଟୀ: ବରସାପରା ଷ୍ଟାଡିୟମରେ ଖେଳା ଯାଇଥିବା ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୨୭ ରନରେ ପରାସ୍ତ କରିଛି । ଚଳିତ ସିଜିନିରେ ରାଜସ୍ଥାନ ଲଗାତାର ତୃତୀୟ ବିଜୟ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି । ବର୍ଷା କାରଣରୁ ମ୍ୟାଚ୍ ୧୧-୧୧ ଓଭର ଖେଳା ଯାଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଯଶସ୍ୱୀ ଜୟସ୍ୱାଲଙ୍କ ୭୭ ରନ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ୩୯ ରନ ବଳରେ ୩ ୱିକେଟ୍ ହରାଇ ୧୫୦ ରନ କରିଥିଲା । ଜବାବରେ ମୁମ୍ବାଇ ୧୧୧ ରନ କରି ପାରିଥିଲା । ବୋଲିଂରେ ନାନ୍ଦ୍ରେ ବର୍ଗର, ସନ୍ଦୀପ ଶର୍ମା ଓ ରବି ବିଷ୍ଣୋଇ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।
୧୫୧ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା । ଫଳରେ ଦଳ ସେହି ହାରରେ ରନ ସଂଗ୍ରହ କରି ପାରି ନ ଥିଲା । ଟପ୍ ଅର୍ଡରରେ ସବୁ ବ୍ୟାଟର ଫେଲ୍ ମାରିଥିଲେ । ନମନ ଧୀର ୨୫ ରନ ଓ ଶେରଫନ ରଦରଫୋର୍ଡ ୨୫ ରନ କରିଥିଲେ ହେଁ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନ ଥିଲା । ଶେଷରେ ମୁମ୍ବାଇ ସାମୂହିକ ବ୍ୟାଟିଂ ବିଫଳତା ଭୋଗି ୯ ୱିକେଟ୍ ହରାଇ ୧୨୩ ରନ କରି ପାରିଛି ।
ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସକୁ ଜୟସ୍ୱାଲ ଓ ବୈଭବ ଧୂଆଁଧାର ଆରମ୍ଭ ଦେଇଥିଲେ । ଦୁଇ ବାମହାତୀ ବ୍ୟାଟର ମୁମ୍ବାଇର ସବୁ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ । ସୂର୍ଯ୍ୟବଂଶୀ ବୁମରାଙ୍କ ପ୍ରଥମ ବଲରେ ଛକା ମାରି ସଭିଙ୍କୁ ଚକିତ କରିଥିଲେ । ଦୁଇ ବ୍ୟାଟର ୫ ଓଭରରେ ୮୦ ରନ ଯୋଡିଥିଲେ । ସୂର୍ଯ୍ୟବଂଶୀ ୧୪ ବଲରୁ ୧ ଚୌକା ଓ ୫ ଛକା ସହ ୩୯ ରନ କରିଥିଲେ । ମଧ୍ୟକ୍ରମରେ ଜୁରେଲ ୨ ରନ ଓ ଅଧିନାୟକ ରିୟାନ ପରାଗ ୨୦ ରନ କରିଥିଲେ । କିନ୍ତୁ ଜୟସ୍ୱାଲ ଶେଷ ପର୍ଯ୍ୟନ୍ତ ରହି ଦଳକୁ ୧୫୦ ରନରେ ପଞ୍ଚାଇଥିଲେ । ସେ ୨୩ ବଲରୁ ଅର୍ଦ୍ଧଶତକ ହାସଲ କରିବା ସହ ୩୨ ବଲରୁ ୧୦ ଚୌକା ଓ ୪ ଛକା ସହ ୭୭ ରନ କରି ଅପରାଜିତ ଥିଲେ ।