ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ରୋହିତ ଶର୍ମା ଏକ ବଡ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଛକା ମାରିବାରେ ସେ ଏମଏସ ଧୋନିଙ୍କୁ ପଛରେ ପକାଇଛନ୍ତି । ରୋହିତ ଏବେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସବୁଠୁ ଅଧିକ ଛକା ମାରିବାରେ ବ୍ୟାଟର ହୋଇଛନ୍ତି । ଏହା ସହିତ କୌଣସି ଏକ ଆଇପିଏଲ୍ ଟିମ ବିରୋଧରେ ସର୍ବାଧିକ ଛକା ମାରିବାରେ ଭାରତୀୟ ବ୍ୟାଟର ମଧ୍ୟ ହୋଇଛନ୍ତି । ସେ ଏହି କାରନାମା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ କରିଛନ୍ତି ।
ରୋହିତ ଶର୍ମା ଦିଲ୍ଲୀ ବିପକ୍ଷ ମ୍ୟାଚରେ ୨୬ ବଲରୁ ୩୫ ରନ କରିଥିଲେ । ଏହି ଇନିଂସରେ ସେ ୫ ଚୌକା ଓ ଗୋଟିଏ ଛକା ମାରିଥିଲେ । ଏହି ଗୋଟିଏ ଛକା ମାରି ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସବୁଠୁ ଅଧିକ ଛକା ମାରିବାରେ ଏମଏସ ଧୋନିଙ୍କୁ ପଛରେ ପକାଇଛନ୍ତି । ରୋହିତ ଦିଲ୍ଲୀ ବିପକ୍ଷରେ ୫୧ ଛକା ମାରିଥିବା ବେଳେ ଧୋନି ମାରିଛନ୍ତି ୫୦ ଛକା ।
ରୋହିତଙ୍କୁ ଦିଲ୍ଲୀ ବିପକ୍ଷରେ ଖେଳିବା ଭାରି ପସନ୍ଦ ଆସିଛି । ଦିଲ୍ଲୀ ହେଉଛି ସେହି ଦୁଇଟି ଟିମ୍ ମଧ୍ୟରୁ ଯାହା ବିରୋଧରେ ହିଟମ୍ୟାନ ହଜାରେରୁ ଅଧିକ ରନ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୩୮ ମ୍ୟାଚରେ ରୋହିତ ଶର୍ମା ଏ ପର୍ଯ୍ୟନ୍ତ ୧୦୯୨ ରନ କରିଛନ୍ତି । ତେବେ ଗୋଟିଏ ଆଇପିଏଲ ଟିମ ବିରୋଧରେ ସର୍ବାଧିକ ଛକା ମାରିବାର ରେକର୍ଡ କ୍ରିସ ଗେଲଙ୍କ ନାଁରେ ରହିଛି । ଗେଲ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୬୧ ଏବଂ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ୫୪ ଛକା ମାରିଛନ୍ତି । ଏହି ତାଲିକାରେ ରୋହିତ ଶର୍ମା ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ।
୬୧ ଛକା - କ୍ରିସ୍ ଗେଲ୍ (ବନାମ ପଞ୍ଜାବ କିଙ୍ଗ୍ସ)
୫୪ ଛକା - କ୍ରିସ୍ ଗେଲ୍ (ବନାମ କୋଲକାତା ନାଇଟ୍ ରାଇଡର୍ସ)
୫୧ ଛକା - ରୋହିତ ଶର୍ମା (ବନାମ ଦିଲ୍ଲୀ କ୍ୟାପିଟାଲ୍ସ)
୫୦ ଛକା - ଏମଏସ ଧୋନି (ବନାମ ଦିଲ୍ଲୀ କ୍ୟାପିଟାଲ୍ସ)
ରୋହିତ ଆଉ ଏକ ରେକର୍ଡର ନିକଟତର
ରୋହିତ ଶର୍ମା ଆଉ ଏକ ମାଇଲଖୁଣ୍ଟ ହାସଲ କରିବାଠାରୁ ମାତ୍ର ୧୧ ରନ ଦୂରରେ ଅଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୫,୯୮୯ ରନ କରିଛନ୍ତି। ସେ ପୂର୍ବରୁ ମୁମ୍ବାଇ ପାଇଁ ସର୍ବାଧିକ ରନ ସ୍କୋରର ହେବାର ରେକର୍ଡ ରଖିଛନ୍ତି।