ଅହମ୍ମଦାବାଦ: ହୃଦସ୍ପନ୍ଦନ ବଢାଇ ଦେବା ପରି ମ୍ୟାଚ୍ । ଶେଷ ବଲ୍ ପର୍ଯ୍ୟନ୍ତ ଲଢେଇ । ଆଉ ଶେଷରେ ବାଜି ମାରି ନେଲା ରାଜସ୍ଥାନ ରୟାଲ୍ସ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ଖେଳା ଯାଇଥିବା ନବମ ମ୍ୟାଚରେ ରାଜସ୍ଥାନ ଆୟୋଜକ ଗୁଜରାଟ ଟାଇଟନ୍ସକୁ ୬ ରନରେ ହରାଇଛି । କ୍ରମାଗତ ଦ୍ୱିତୀୟ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ରାଜସ୍ଥାନ । ଅନ୍ୟପଟେ ଗୁଜରାଟ ନିଜରୟ ଦ୍ୱିତୀୟ ମ୍ୟାଚ୍ ୨ୟ ପରାଜୟ ଭୋଗିଛି । ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ଧ୍ରୁବ ଜୁରେଲଙ୍କ ୭୫ ରନ ଓ ଜୟସ୍ୱାଲଙ୍କ ୫୫ ରନ ବଳରେ ୬ ୱିକେଟ୍ ହରାଇ ୨୧୦ ରନ କରିଥିଲା । ଜବାବରେ ଗୁଜରାଟ ସାଇ ସୁଦର୍ଶନଙ୍କ ୭୩ ରନ ସତ୍ତ୍ୱେ ବିଜୟଠୁ ୬ ରନ ଦୂରରେ ରହି ଯାଇ ୮ ୱିକେଟ୍ ହରାଇ ୨୦୪ ରନ କରି ପାରିଛି ।
୨୧୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟକୁ ଦୁଇ ଓପନର ସାଇ ସୁଦର୍ଶନ ଓ କୁମାର କୁସାଗ୍ରେ ଦମଦାର ଆରମ୍ଭ ଦେଇଥିଲେ । ବିଶେଷ କରି ସାଇ ସୁଦର୍ଶନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ରାଜସ୍ଥାନକୁ ବ୍ୟାକଫୁଟରେ ରଖିଥିଲେ । ଦୁଇ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୭୮ ରନ ଯୋଡିଥିଲେ । କୁମାର କୁସାଗ୍ରେ ୧୮ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ସାଇ ସୁଦର୍ଶନ ୪୪ ବଲରୁ ୯ ଚୌକା ଓ ୩ ଛକା ସହ ୭୩ ରନ କରି ପାଭିଲିୟନ ଫେରିଥିଲେ । ମଧ୍ୟକ୍ରମରେ ଗୁଜରାଟ ନିୟମିତ ୱିକେଟ୍ ହରାଇ ଚାପରେ ରହିଥିଲା । ଗ୍ଲେନ ଫିଲିପ୍ସ ୩ ଓ ୱାଶିଂଟନ ସୁନ୍ଦର ୪ ରନ, ରାହୁଲ ତେୱତିଆ ୧୨ ରନ କରି କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ ।
ଜୋସ ବଟଲର ୨୬ ରନ କରିଥିଲେ ହେଁ ଦଳ ପାଇଁ ତାହା ଯଥେଷ୍ଟ ନ ଥିଲା । ଶେଷ ଆଡକୁ ଅଧିନାୟକ ରଶିଦ ଖାନ ୨୪ ରନ ଓ କାଗିସୋ ରାବଡା ୨୩ ରନ କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲେ । ଶେଷ ୨ ଓଭରରେ ଗୁଜରାଟକୁ ୧୫ ରନ ଦରକାର ଥିଲା । ୧୯ତମ ଓଭରରେ ଜୋଫ୍ରା ଆର୍ଚର ମାତ୍ର ୪ ରନ ଦେବାରୁ ରାଜସ୍ଥାନକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାକୁ ସୁଯୋଗ ମିଳିଥିଲା । ଶେଷ ଓଭରରେ ତୁଷାର ଦେଶପାଣ୍ଡେ ଦେଇଥିଲେ ଏବଂ ସେ ମାତ୍ର ୫ ରନ ଦେଇଥିଲେ । ଆଉ ରୋମାଞ୍ଚକର ମ୍ୟାଚକୁ ରାଜସ୍ଥାନ ୬ ରନରେ ଜିତି ନେଇଥିଲା ।