ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ମ୍ୟାଚ ବନ୍ଦ କରିବାକୁ ମାଡ୍ରାସ ହାଇକୋର୍ଟରେ ଯାଚିକା ଦାଖଲ ହୋଇଛି । ମ୍ୟାଚର ମଜା ନେବାକୁ କହିବା ସହିତ ବିଚାରପତି ଯାଚିକାକୁ ଖାରଜ କରିଛନ୍ତି ।
ତାମିଲନାଡ଼ୁ ଆଇପିଏଲ୍ ମ୍ୟାଚ୍ ବନ୍ଦ କରିବାକୁ ମାଡ୍ରାସ ହାଇକୋର୍ଟରେ ଯାଚିକା ଦାଖଲ ହୋଇଛି । ବର୍ତ୍ତମାନ ନିର୍ବାଚନ ସମୟ ଥିବାରୁ ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି ଯାଚିକାରେ ଦର୍ଶାଯାଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍.ଏ ଧର୍ମାଧିକାରୀ ଏବଂ ବିଚାରପତି ଅରୁଣ ମୁରଗନଙ୍କ ଖଣ୍ଡପୀଠ ଶୁଣାଣି କରି ଏହି ଯାଚିକା କେବେଳ ଆଶଙ୍କା ଉପରେ ଆଧାରିତ ବୋଲି କହିଛନ୍ତି । ଆଇପିଏଲ୍ ମ୍ୟାଚରେ ରୋକ୍ ଲଗାଇବା କିମ୍ବା ନିର୍ବାଚନ ପରେ ମ୍ୟାଚ୍ କରିବାକୁ ଆବେଦନରେ କୁହାଯାଇଛି । କୋର୍ଟ କହିଛନ୍ତି ଯଦି ଏହା ନିର୍ବାଚନ ନିୟମର ଉଲ୍ଲଂଘନ ହୋଇଥିବ ତେବେ ନିର୍ବାଚନ ଆୟୋଗ ଏହା ସହିତ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ସକ୍ଷମ । ଏଥିରେ ନିର୍ବାଚନ ଆୟୋଗଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖଣ୍ଡପୀଠ କହିଥିଲେ ବିନା କୌଣସି ବାଧାବିଘ୍ନରେ ଗୋଟିଏ ମ୍ୟାଚ ହୋଇସାରିଛି । କିନ୍ତୁ ଆପଣ କିଛି ଏଥିରେ ଭୁଲ ବାହାର କରିପାରୁ ନାହାଁନ୍ତି ବୋଲି କୋର୍ଟ ଆବେଦନକାରୀଙ୍କୁ କହିଥିଲେ ।
ଏହା ପରେ ବିଚାରପତି ଅତି ମଜାଳିଆ ଢଙ୍ଗରେ କହିଥିଲେ, ଆପଣ ଏ ମ୍ୟାଚର ମଜା ନେଇଛନ୍ତି । ଦ୍ୱିତୀୟ ମ୍ୟାଚର ବି ମଜା ନିଅନ୍ତୁ । ଏହା ସହିତ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ମନା କରିଥିଲେ । ଆବେଦନକାରୀ ମଧ୍ୟ ଯାଚିକା ପ୍ରତ୍ୟାହାର କରିଛନ୍ତି ।