ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ନିଜ କ୍ରିକେଟ କ୍ୟାରିଅରରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି ଓ ଅନେକ ରେକର୍ଡ ଭାଙ୍ଗିଛନ୍ତି । ଦିନିକିଆ ବିଶ୍ୱକପ, ଟି-୨୦ ବିଶ୍ୱକପରେ ଭାରତ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ବିଦେଶ ମାଟିରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୫-ୱିକେଟ ଅକ୍ତିଆର କରିଥିବା ଭାରତୀୟ ହେଉଛନ୍ତି ବୁମରା, ସେ ସମୁଦାୟ ୧୩ ଥର ୫-ୱିକେଟ ଅକ୍ତିଆର କରି କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ଟେଷ୍ଟ ମ୍ୟାଚର ଗୋଟିଏ ଓଭରରେ ସର୍ବାଧିକ ରନର ରେକର୍ଡ ମଧ୍ୟ ବୁମରାଙ୍କ ନାଁରେ ରହିଛି, ସେ ଷ୍ଟୁଆର୍ଟ ବ୍ରଡ଼ଙ୍କ ବିପକ୍ଷରେ ଗୋଟିଏ ଓଭରରେ ୩୫ ରନ ମାରିଛନ୍ତି । ଏହା ଛଡା ସେ ପ୍ରଥମ ଏସୀୟ ବୋଲର ଯିଏ ସେନା ଦେଶରେ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ) ୧୫୦ ରୁ ଅଧିକ ୱିକେଟ ନେଇଛନ୍ତି । ଏହି ଭଳି ଅନେକ କୀର୍ତ୍ତିମାନ ବୁମରାଙ୍କ ନାଁରେ ଥିବାବେଳେ ଆଉ ଏକ କୀର୍ତ୍ତିମାନ ଆଡକୁ ଆଗାଉଛନ୍ତି ବୁମରା । ଆଇପିଏଲ ଇତିହାସରେ ମାତ୍ର ଦୁଇଟି ବୋଲର ୨୦୦ ରୁ ଅଧିକ ୱିକେଟ ହାସଲ କରିଛନ୍ତି । ୟୁଜବେନ୍ଦ୍ର ଚହଲ ଓ ଭୁବନେଶ୍ୱର କୁମାର ପୂର୍ବରୁ ଏହି କୀର୍ତ୍ତିମାନ ରେ ପହଞ୍ଚି ସାରିଛନ୍ତି । ଏହି ତାଲିକାରେ ଯୋଗଦେବା ପାଇଁ ବୁମରାଙ୍କୁ ଆଉ ମାତ୍ର ୧୭ ଟି ୱିକେଟର ଆବଶ୍ୟକତା, କିନ୍ତୁ ବୁମରା ଚଳିତ ସିଜିନରେ ଗୋଟିଏ ବି ୱିକେଟ ନେଇ ନାହାନ୍ତି । ମ୍ୟାଚ ହେଉ ଅଥବା ଟୁର୍ନାମେଣ୍ଟ କୌଣସି ମୁହୂର୍ତରେ କିଭଳି କମବ୍ୟାକ କରାଯାଏ, ତାହା ଯଶପ୍ରୀତ ବୁମରାଙ୍କୁ ବେଶ ଭଲ ଭାବେ ଜଣା । ତେଣୁ ସେ ଚେଷ୍ଟା କରିବେ୨୦୦ ୱିକେଟର କୀର୍ତ୍ତିମାନ ଚଳିତ ସିଜିନରେ ହାସଲ କରିବା ସହ ପ୍ରଥମ ଥର ପର୍ପଲ କ୍ୟାପ ପିନ୍ଧିବା ପାଇଁ ।