ଭୁବନେଶ୍ୱର: ଗ୍ରୀଷ୍ମ ଛୁଟି ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯିବ । ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।
ପୋଷାକ ବଣ୍ଟନ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇସାରିଛି । ଏପ୍ରିଲ ୧୦ ତାରିଖ ସୁଦ୍ଧା ଶ୍ରେଣୀ ଅନୁଯାୟୀ ଆକଳନ କରାଯିବ । ଏପ୍ରିଲ ୧୨ ତାରିଖରେ ସମସ୍ତ ଏଜେନ୍ସି ମାନଙ୍କୁ ପୋଷାକ ତିଆରି ପାଇଁ କାର୍ଯ୍ୟାଦେଶ ହେବ । ତାହା ପାଇଁ ସମସ୍ତ ବିଭାଗକୁ ଏସଓପି ଜାରି ହୋଇ ସାରିଛି । ଏପ୍ରିଲ ୨୩, ଗ୍ରୀଷ୍ମ ଛୁଟି ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ତେବେ ଗତ ବର୍ଷ ଯେଉଁ ଏଜେନ୍ସିମାନେ କାମ ନେଇଥିଲେ ସେହିମାନେ ହିଁ ଚଳିତ ବର୍ଷ ପୁଣି କାର୍ଯ୍ୟ ନେବେ । ଯେଉଁମାନଙ୍କ ନାଁରେ କିଛି ଅଭିଯୋଗ ରହିଥିବେ ସେମାନଙ୍କୁ ଆଉ ପୁନର୍ବାର ପୋଷାକ ବଣ୍ଟନ ପାଇଁ ଅନୁମତି ଦିଆଯିବ ନାହିଁ । ଉକ୍ତ ସଂସ୍ଥାକୁ କାର୍ଯ୍ୟରୁ ବାଦ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।