ଭଦ୍ରକ/ବାଲେଶ୍ୱର: ଭଦ୍ରକ ଓ ବାଲେଶ୍ୱରରେ ନିଶା କାରବାର ମାମଲାରେ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି । ୨୦୦ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ସହିତ ୩ ଜଣ ଗିରଫ ହୋଇଛନ୍ତି ।
ରାଜପଥ କଡ଼ରେ ହେଉଥିଲା ବ୍ରାଉନ ସୁଗାର ବେପାର । ନିୟମିତ ଚେକିଙ୍ଗ ବେଳେ ଧରିଲା ଅବକାରୀ ବିଭାଗ ର ମୋବାଇଲ୍ ଟିମ । ଭଦ୍ରକ ଅବକାରୀ ବିଭାଗର ମୋବାଇଲ୍ ଟିମ ନିୟମିତ ରାଜପଥରେ ପାଟ୍ରୋଲିଂ କରିବା ସମୟରେ ୧୬ ନମ୍ୱର୍ ଜାତୀୟ ରାଜପଥ ନଳାଙ୍ଗ ଛକ ନିକଟରେ ସନ୍ଦେହଜନକ କାର୍ୟ୍ୟକଳାପ ଦେଖି ଜଣେ ଯୁବକଙ୍କୁ କାବୁ କରିଥିଲା । ଯାଞ୍ଚ ବେଳେ ଯୁବକଙ୍କ ନିକଟରୁ ୪୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା । ଯାହାର ବଜାର ମୂଲ୍ୟ ସାଢ଼େ ୪ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଅବକାରୀ ବିଭାଗ ଯୁବକକୁ ଗିରଫ କରିବା ସହ ବ୍ରାଉନସୁଗାର ଓ ବାଇକ୍ ଜବତ କରିଛି । ଗିରଫ ଯୁବକ ଜଣକ ଧାମନଗର ଥାନା ଅଧୀନ ଅଞ୍ଚଳର ବୋଲି ସୂଚନା ମିଳିଛି ।
ସେହିପରି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକ ସ୍ଥାନରେ ଚଢଉ ସମୟରେ ମୋଟ ୧୬୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଗୋଟିଏ ବାଇକ ଜବତ କରିବା ସହିତ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି । ଅବକାରୀ ପୋଲିସ ବାଇକରେ ବ୍ରାଉନସୁଗାର ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଟିମ୍ ତାଳସାରୀ ବେଳାଭୂମିରେ ଚଢଉ କରି ୯୦ ଗ୍ରାମର ବ୍ରାଉନସୁଗାର ଜବତ କରିଥିଲା । ଅନ୍ୟପକ୍ଷରେ ଉଦୟପୁର ବେଳାଭୂମିରେ ଚଢଉ କରି ୭୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏହି ଦୁଇ ପୃଥକ ଘଟଣାରେ ଦୁଇ ଜଣ ବେପାରୀକୁ ଗିରଫ ହୋଇଥିବା ବେଳେ ଉଭୟଙ୍କ ଘର ଭୋଗରାଇ ଥାନା ଅଞ୍ଚଳରେ ବୋଲି ଜଣାପଡିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂତ୍ରରୁ ଜଣା ପଡିଛି ।