ଚଣ୍ଡିଗଡ: ହିସାରର ବରୱାଲ ସ୍ଥିତ ସତଲୋକ ଆଶ୍ରମରେ ଘଟିଥିବା ହିଂସାରେ ମହିଳା ଓ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ମାମଲାରେ ହିସାର ସେଣ୍ଟ୍ରାଲ ଜେଲରେ ଆଜୀବନ ସଜା କାଟୁଥିବା ଆତ୍ମଘୋଷିତ ସନ୍ଥ ରାମପାଲ ଆଜି ମୁକୁଳିଛନ୍ତି । ତାଙ୍କୁ ଦେଶଦ୍ରୋହ ସଂପର୍କିତ ଏକ ମାମଲାରେ ଜାମିନ ମିଳିଛି । ତାଙ୍କ ମୁକ୍ତ ହେବାକୁ ତାଙ୍କର ଅନୁଗାମୀ ଚାତକ ପରି ଚାହିଁ ରହିଥିଲେ । ଜାମିନ ମିଳିବା ଖବର ମିଳିବା ମାତ୍ରେ ଅନୁଗାମୀଙ୍କ ଜେଲ ବାହାରେ ଭିଡ ଜମିବା ଆରମ୍ଭ ହୋଇଥିଲା । ଆଜି ରାମପାଲ ୧୧ ବର୍ଷ ୪ ମାସ ଓ ୨୪ ଦିନ ପରେ ଜେଲରୁ ବାହାରିଛନ୍ତି । ଅନୁଗାମୀମାନେ ତାଙ୍କୁ ବେଶ ସ୍ୱାଗତ କରିଛନ୍ତି । ରାମପାଲଙ୍କ ଓକିଲ ମହେନ୍ଦ୍ର ସିଂ ନୈନ କହିଛନ୍ତି, ହାଇକୋର୍ଟରୁ ଜାମିନ ଆଦେଶ ମିଳିଥିଲା । ଅର୍ଡରର କପି ହିସାର କୋର୍ଟରେ ଜମା କରାଯାଇଥିଲା । ବେଲ୍ ବଣ୍ଡ ଭରିବା ପରେ ରାମପାଲ ଜେଲରୁ ଆଜି ମୁକୁଳିଛନ୍ତି ।
ସତଲୋକ ଆଶ୍ରମର ପ୍ରମୁଖ ରାମପାଲଙ୍କ ବୟସ ୭୮ ବର୍ଷ ହେବ । ଜେଲ ଗେଟରୁ ବାହାରିବା ମାତ୍ରେ ରାମପାଲଙ୍କ ଚେହେରାରେ ସ୍ମିତ ହାସ୍ୟ ଦେଖିବାକୁ ମିଳିଥିଲା । ଏହା ପରେ ଧଳା ରଙ୍ଗର ଫର୍ଚ୍ୟୁନର କାରରେ ବସି ବାହାରି ଯାଇଥିଲେ । ରାମପାଲ ହିସାରରୁ ସୋନିପତ ଜିଲ୍ଲାର ଗୋହାନା ସ୍ଥିତ ଧନାନାର ସତଲୋକ ଆଶ୍ରମ ଅଭିମୁଖେ ଯାଇଛନ୍ତି । ତାଙ୍କ କାର ସହ ଡିଫେଣ୍ଡର, ଫର୍ଚ୍ୟୁନର ପରି ୨୦ ଗାଡି ସାମିଲ । ପଞ୍ଜାବ ଆଣ୍ଡ ହରିୟାଣା ହାଇକୋର୍ଟ ଏପ୍ରିଲ ୮ରେ ରାମପାଲଙ୍କ ଜାମିନ ମଞ୍ଜୁର କରିଥିଲେ । ଏହା ପରେ ପୋଲିସ ଜେଲ୍ ଚତୁଃପାଶ୍ୱର୍ରେ ପର୍ଯ୍ୟାପ୍ତ ପୋଲିସ ବଳ ମୁତୟନ କରିଥିଲେ ।
ଜେଲରେ କଏଦୀ ନମ୍ବର ୧୦୦୫ ଥିଲେ ରାମପାଲ
୨୦୧୪ରେ ହିସାରର ବରୱାଲ ସ୍ଥିତ ସତଲୋକ ଆଶ୍ରମରେ ପୋଲିସ ଓ ରାମପାଲଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏହି ସମୟରେ ମହିଳା ଓ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ମାମଲାରେ ରାମପାଲଙ୍କୁ ଗିରଫ କରାଯା ଜେଲ୍ ପଠାଯାଇଥିଲା । ଦୀର୍ଘ ସମୟ ଶୁଣାଣି ପରେ କୋର୍ଟ ରାମପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି କେସରେ ପ୍ରାୟ ୪୨୫ ସାକ୍ଷୀ ରହିଥିଲେ । ଏଥିରୁ ୫୮ ଜଣଙ୍କ ସାକ୍ଷ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । କୋର୍ଟ ହତ୍ୟା ସହିତ ଅନ୍ୟ ଧାରାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଜେଲରେ ରାମପାଲ କଏଦୀ ନମ୍ବର ୧୦୦୫ ରୂପେ ରହିଥିଲା । ଜେଲରେ ତାଙ୍କୁ ଏକ ସ୍ୱତନ୍ତ୍ର ବାରାକରେ ରଖା ଯାଇଥିଲା । ସେ ଅଧିକାଂଶ ସମୟ ଲାଇବ୍ରେରୀରେ ଆଧ୍ୟାତ୍ମିକ ପୁସ୍ତକ ପଢି ସମୟ ଅତି ବାହିତ କରୁଥିଲେ ।