ଆନ୍ତର୍ଜାତୀୟ ବଜାରରେ ମଧ୍ୟ-ପ୍ରାଚ୍ୟକୁ ନେଇ କୌଣସି ଅସ୍ଥିରତା ଖବର ଆସିଲେ, ଭାରତରେ ମହଙ୍ଗା ମାଡ଼ ଓ ସପ୍ଲାଇ ଚେନ୍ ବିଗିଡ଼ିବାର ଭୟ ଦେଖାଦିଏ। କିନ୍ତୁ ସରକାରଙ୍କ ନୂତନ ବ୍ରିଫିଂରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ପାୱାର କରିଡରରୁ ସ୍ପଷ୍ଟ ବାର୍ତ୍ତା ଆସିଛି - ‘ଆମର ଶକ୍ତି ଏବଂ ଜାଳେଣି ଯୋଗାଣ ଶୃଙ୍ଖଳା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି।’
ବିଜୁଳି ଚାହିଦା ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ
ଖରାଦିନେ ବିଜୁଳିର ସର୍ବାଧିକ ଚାହିଦା (Peak Demand) ଏକ ବଡ଼ ଆହ୍ୱାନ ହୋଇଥାଏ। ଶକ୍ତି ମନ୍ତ୍ରାଳୟର ଅତିରିକ୍ତ ସଚିବ ପୀୟୂଷ ସିଂ କହିଛନ୍ତି ଯେ, ଏଥିପାଇଁ ପୂରା ମାଷ୍ଟରପ୍ଲାନ୍ ପ୍ରସ୍ତୁତ ଅଛି। ଦେଶର ୭୫% ବିଜୁଳି କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ରରୁ ଆସୁଥିବାରୁ ସରକାର ପୂର୍ବରୁ ପର୍ଯ୍ୟାପ୍ତ ବଫର୍ ଷ୍ଟକ୍ ମହଜୁଦ ରଖିଛନ୍ତି।
ସରକାର ‘ସେକ୍ସନ ୧୧’ ଲାଗୁ କରିବାକୁ ଯାଉଛନ୍ତି, ଯାହାର ଅର୍ଥ ହେଉଛି ସମସ୍ତ ପାୱାର ପ୍ଲାଣ୍ଟକୁ ନିଜର ପୂର୍ଣ୍ଣ କ୍ଷମତା (Full Capacity) ରେ କାମ କରିବାକୁ ପଡ଼ିବ। ଏହା ସହିତ ଗ୍ରିଡ୍କୁ ଅଧିକ ଶକ୍ତିଶାଳୀ କରିବା ପାଇଁ ୩୫୦୦ ମେଗାୱାଟର ନୂତନ କ୍ଷମତା ଯୋଡ଼ା ଯାଉଛି। ସୌର ଏବଂ ପବନ ଶକ୍ତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
ସମ୍ପୂର୍ଣ୍ଣ ଯୋଗାଣ, ୧୦୦% କ୍ଷମତାରେ ଚାଲିଛି ବିଶୋଧନାଗାର
ଅଶୋଧିତ ତୈଳ ଏବଂ ଗ୍ୟାସ୍ ଯୋଗାଣକୁ ନେଇ ରହିଥିବା ଆଶଙ୍କାକୁ ପେଟ୍ରୋଲିୟମ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଖାରଜ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଘରୋଇ ରୋଷେଇ ଗ୍ୟାସ୍ (LPG), ପେଟ୍ରୋଲ କିମ୍ବା ଡିଜେଲ ଯୋଗାଣରେ କୌଣସି କାଟ୍ ହେବ ନାହିଁ। ଭାରତ ପାଖରେ ଅଶୋଧିତ ତୈଳର ପର୍ଯ୍ୟାପ୍ତ ଭଣ୍ଡାର ଅଛି। ବଜାରରେ କଳାବଜାରୀ ରୋକିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) କ୍ରମାଗତ ଭାବେ ଚଢ଼ାଉ ଓ ଯାଞ୍ଚ ଜାରି ରଖିଛନ୍ତି।
ସୁରକ୍ଷିତ ଅଛି ଯୋଗାଣ ମାର୍ଗ
ବନ୍ଦର ସଚିବ ମୁକେଶ ମଙ୍ଗଲ ଆଶ୍ୱାସନା ଦେଇଛନ୍ତି ଯେ ସମୁଦ୍ରରେ ବାଣିଜ୍ୟିକ ଜାହାଜଗୁଡ଼ିକରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଅଧିକାରୀ ରଣଧୀର କହିଛନ୍ତି ଯେ ଭାରତ ଗଲ୍ଫର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ନିଜର ‘ଶକ୍ତି ସୁରକ୍ଷା’ (Energy Security) କୁ ମଜଭୁତ କରିବା ପାଇଁ ଭାରତର ପେଟ୍ରୋଲିୟମ ମନ୍ତ୍ରୀ ନିକଟରେ କାତାର ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଭାରତ ନିଜ ସହିତ ଶ୍ରୀଲଙ୍କା ଭଳି ପଡ଼ୋଶୀ ଦେଶକୁ ମଧ୍ୟ ସହଯୋଗ କରୁଛି। ତେବେ ଲେବାନନର ସ୍ଥିତି ଏବଂ ସେଠାରେ ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ସରକାର ଚିନ୍ତିତ ଅଛନ୍ତି।