ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଶୁକ୍ରବାର ବଡ ଅଘଟଣ ଘଟିଛି । ଲୁଧିଆନାରୁ ବୃନ୍ଦାବନ ବୁଲି ଆସିଥିବା ୩୦ ଶ୍ରଦ୍ଧାଳୁରେ ଭର୍ତ୍ତି ବୋଟ୍ ଯମୁନା ନଦୀରେ ଓଲଟି ପଡିଛି । ଏଥିରେ ସମସ୍ତ ଶ୍ରଦ୍ଧାଳୁ ନଦୀରେ ବୁଡି ଯାଇଛନ୍ତି । ଶ୍ରଦ୍ଧାଳୁଙ୍କ ଆର୍ତ୍ତ ଚିତ୍କାର ଶୁଣି ଆଖପାଖ ଲୋକ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ପୋଲିସ ଓ ପାଣି ବୁଡାଳି ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଲାଇଛନ୍ତି । ଏ ପର୍ଯ୍ୟନ୍ତ ୧୦ ଜଣଙ୍କ ମୃତଦେହ ଜବତ ହୋଇ ସାରିଛି । ୧୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଲୋକଙ୍କ ସନ୍ଧାନ ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।
ଏହି ଘଟଣା କେସି ଘାଟରେ ଘଟିଥିବା କୁହାଯାଉଛି । ସୂଚନା ଅନୁସାରେ, ଲୁଧିଆନାରୁ ୩୦ ଶ୍ରଦ୍ଧାଳୁଙ୍କ ଏକ ଗ୍ରୁପ ବୃନ୍ଦାବନ ବୁଲି ଆସିଥିଲେ । ସମସ୍ତ ଶ୍ରଦ୍ଧାଳୁ ଯମୁନା ନଦୀରେ ଭ୍ରମଣ ପାଇଁ ବୋଟରେ ବସି ବାହାରିଥିଲେ । ଏହି ସମୟରେ ଖୁବ ଜୋରରେ ପବନ ବହିଥିଲା । ଏଥିରେ ବୋଟ୍ ନିୟନ୍ତ୍ରଣ ହରାଇ ପାଣ୍ଟୁନ ପୋଲରେ ଯାଇ ଧକ୍କା ଖାଇଥିଲା ଏବଂ ଯମୁନା ନଦୀରେ ଓଲଟି ପଡିଥିଲା । ପୋଲିସ ଓ ପାଣି ବୁଡାଳି ଟିମ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି ।
ସର୍ଚ୍ଚ ଅପରେସନ ସମୟରେ ୧୦ ଶ୍ରଦ୍ଧାଳୁଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୫ ଜଣଙ୍କୁ ସୁରକ୍ଷିତ ବାହାର କରାଯାଇଛି । ବାକି ଲୋକଙ୍କ ତଲାସି ଜାରି ରହିଛି । ବୋଟରେ ଆବଶ୍ୟକତାଠୁ ଅଧିକ ଲୋକ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ଏସଡିଏମ ଋତୁ ସିରୋହୀ କହିଛନ୍ତି । ଏ ପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଛି ।
ଦୁର୍ଘଟଣାର ଖବର ମିଳିବା ମାତ୍ରେ ପୋଲିସ ଓ ସ୍ଥାନୀୟ ପ୍ରଶାସନର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଜିଲ୍ଲାପାଳ, ଏସପି ଓ ଡିଆଇଜି ଦୁର୍ଘଟଣାର ସମୀକ୍ଷା କରିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏନଡିଆରଏଫ ଏବଂ ସେନାକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ପାଇଁ ଡକାଯାଇଛି । ହସ୍ପିଟାଲକୁ ଆଲର୍ଟ କରି ଦିଆଯାଇଛି । ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା କରାଯାଉଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ବିଷୟରେ ପଚାରିଛନ୍ତି ।