ଅନୁଗୁଳ: ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକ ଐତିହାସିକ ଓ କଠୋର ରାୟ ଦେଇଛି ଅନୁଗୁଳ ପୋକ୍ସୋ କୋର୍ଟ। ମାତ୍ର ୧୩ ମାସ ମଧ୍ୟରେ ଶୁଣାଣି କରି ଅଭିଯୁକ୍ତକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ୪ ବର୍ଷ ୧୦ ମାସର ଜଣେ ନିର୍ଦୋଷ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ୪୦ ବର୍ଷୀୟ ଅଭିଯୁକ୍ତ ଦୋଷୀ ବାବୁଲାଲ ଜେନାଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି କୋର୍ଟ।
ଅଭିଯୁକ୍ତ ଜଣକ ଜରେଙ୍ଗ ଗାଁର ବସିନ୍ଦା, ତାଙ୍କ ଡିଏନଏ ରିପୋର୍ଟ, ଫରେନସିକ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଦଫା ୧୩୭(୨), ୧୦୩(୧), ୬୫(୨) ଏବଂ ୨୩୮(କ) ସହିତ ପକ୍ସୋ ଆକ୍ଟର ଧାରା ୬ ଅନୁଯାୟୀ ଅଭିଯୁକ୍ତକୁ ଦଣ୍ଡିତ କରାଯାଇଛି। ମାତ୍ର ଏକ ବର୍ଷ ମଧ୍ୟରେ ଏହି ମାମଲାର ବିଚାର ପ୍ରକ୍ରିୟା ସମାପ୍ତ କରାଯାଇ ଅଭିଯୁକ୍ତକୁ ଦଣ୍ଡିତ କରାଯିବା ଘଟଣା ପୋଲିସର ଦକ୍ଷତା ଓ ତ୍ୱରିତ ନ୍ୟାୟ ପ୍ରଦାନର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି।
ଘଟଣା ଅନୁସାରେ, ୨୦୨୫ ମାର୍ଚ୍ଚ ୧୪ ତାରିଖରେ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଶିଶୁଟି ହଠାତ୍ ଗାୟବ ହୋଇଥିଲା। ପରିବାର ତରଫରୁ ଖବର ପାଇ ପୁଲିସ ତତ୍କ୍ଷଣାତ୍ ତଲାସୀ ଅଭିଯାନ ଆରମ୍ଭ କରିଥିଲା। ପରବର୍ତ୍ତୀ ଦିନ ଘର ନିକଟରେ ଥିବା ମହୁଆ ଗଛ ପାଖରୁ ଶିଶୁଟିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମ ପରେ ଗଳା କାଟି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ତଦନ୍ତ ପରେ ମାର୍ଚ୍ଚ ୧୭ରେ ପୁଲିସ ଦୋଷୀଙ୍କୁ ଗିରଫ କରିଥିଲା।
ଅନୁଗୋଳ ଏସପି ଶ୍ରୀ ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। ଇଣ୍ଡଷ୍ଟ୍ରିଆଲ ଥାନା ଆଇଆଇସି ଏବଂ ଡିଏସପି (IUCAW) ଯୋଗେଶ୍ୱରୀ ବେହେରାଙ୍କ ନେତୃତ୍ୱରେ ପୋଲିସ ଘଟଣାର ତୁରନ୍ତ ଅଭିଯୁକ୍ତ ବାବୁଲା ଜେନାକୁ ଗିରଫ କରିଥିଲା। ବୈଜ୍ଞାନିକ ଏବଂ ଫୋରେନସିକ୍ ପ୍ରମାଣ ସଂଗ୍ରହ, ଡିଏନଏ (DNA) ନମୁନା ପରୀକ୍ଷା ଏବଂ ସଠିକ ସମୟରେ ପୋଲିସର ଚାର୍ଜସିଟ୍ ଦାଖଲ ଯୋଗୁଁ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ପୋଲିସ ସଫଳ ହୋଇପାରିଥିଲା।
ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ କ୍ଷେତ୍ରରେ ଓଡ଼ିଶା ପୋଲିସର ‘ଶୂନ୍ୟ ସହନଶୀଳତା’ ନୀତି ଏବଂ ପ୍ରଶାସନିକ ସମନ୍ୱୟ ଯୋଗୁଁ ପୀଡ଼ିତାଙ୍କ ପରିବାରକୁ ଖୁବ୍ କମ ସମୟ ମଧ୍ୟରେ ନ୍ୟାୟ ମିଳିପାରିଛି। ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଅନୁଗୋଳ ଏସପି ଏବଂ ତଦନ୍ତକାରୀ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ନୂତନ ଭାରତୀୟ ଆଇନ କାର୍ଯ୍ୟକାରୀ ହେବାପରେ ଦ୍ରୁତ ତଦନ୍ତ ଓ କମ ସମୟ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବାରୁ ସନ୍ତୋଷବ୍ୟକ୍ତ କରିଛନ୍ତି।