ପୁରୀ: ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି ବିଜେଡ଼ିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଦାସ । ବବି ତାଙ୍କ ବାସଭବନରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଖଣ୍ଡେଲାଇଟ୍ ପଥର ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି ।
ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ବିଜେଡ଼ିର ପୂର୍ବତନ ବିଧାୟକ ବବି ଦାସ ଯାଜପୁର ବାହାବଳପୁରରେ ଯେଉଁ ଘର ନିର୍ମାଣ କରୁଛନ୍ତି ସେଥିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆସିଥିବା ଖଣ୍ଡେଲାଇଟ୍ ପଥର ବ୍ୟବହାର କରାଯାଇଥାଏ । ଯାହା କେବଳ ଐତିହ୍ୟ ସ୍ଥାନ, କିମ୍ବା ମନୁମେଣ୍ଟସ୍ ତିଆରିରେ ବ୍ୟବହାର ହେବାର ନିୟମ ରହିଛି । ବବି ଦାସ ଏତେ ନିମ୍ନ ସ୍ତରକୁ ଖସି ଜଗନ୍ନାଥଙ୍କ ପଥରକୁ ଚୋରି କରିଥିବା ସେ ଅଭିଯୋଗ ଆଣିଛନ୍ତି । ଏ ନେଇ ବବି ଦାସଙ୍କ ନାଁରେ ଏତଲା ଦିଆଯାଇଛି । ଯଦି ପଥର ଚୋରି ହୋଇଛି ତେବେ ରତ୍ନ ଭଣ୍ଡାର କେତେ ସୁରକ୍ଷିତ ଥିବ ତାହା ବଡ଼ ପ୍ରଶ୍ନ । ଏହାର ଫୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଦୁଇ ଦିନ ତଳେ ବିଜେଡ଼ି ନେତ୍ରୀ ଏଲିନା ଦାସ ଏକ ପୋଷ୍ଟ କରି ଲେଖିଥିଲେ, “ନେତା ଆଜି ପରିକ୍ରମା ପଥର ରେ ଘର କରିକି ରାଜଉଆସରେ, କର୍ମୀ ଆଜି ଜେଲ୍ ଚାରି କାନ୍ଥ ଭିତରେ” । ଏହା ପରେ ସେ ଏକ ନିର୍ମାଣଧୀନ କୋଠାର ଭିଡ଼ିଓ ପୋଷ୍ଟ କରିଥିଲେ । ଯାହାକି ବବି ଦାସଙ୍କ ଘର ବୋଲି କୁହାଯାଉଛି ।