ସୁବର୍ଣ୍ଣପୁର: ଅହେତୁକ ବନାଗ୍ନି ପାଇଁ ଚିନ୍ତାରେ ଜଙ୍ଗଲ ବିଭାଗ । ଅମାନିଆଙ୍କ ପାଇଁ ପୋଡ଼ୁଛି ଶହ ଶହ ଏକର ଜଙ୍ଗଲ। ସୁବର୍ଣ୍ଣପୁର ଜିଲ୍ଲାରେ ଜଙ୍ଗଲ ନିଆଁ ବନ ବିଭାଗ ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି ।
ବନଖଣ୍ଡ ଅଧିକାରୀ ଅଜିତ ବିଶିଙ୍କ ସୂଚନା ଆଧାରରେ, ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ୪ଟି ରେଞ୍ଜ ସୋନପୁର, ବିନିକା, ଉଲୁଣ୍ଡା ଏବଂ ବୀରମହାରାଜପୁରର ମୋଟ ୧୫୪ଟି ଫରେଷ୍ଟ ପଏଣ୍ଟରେ ନିଆଁ ଲାଗିଥିବାର ବନ ବିଭାଗ ପାଖରେ ତଥ୍ୟ ରହିଛି । ଅର୍ଥାତ୍ ୧୫୪ ଟି ସ୍ଥାନରେ ନିଆଁ ଲାଗିଛି । ଏଥିରେ ମୋଟ ୮.୬୪ ହେକ୍ଟର ଜଙ୍ଗଲ ପୋଡ଼ି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।
ଜଙ୍ଗଲ ନିଆଁକୁ ରୋକିବାକୁ ବନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ପ୍ରତି ରେଞ୍ଜରେ 10 ଜଣ ଲେଖାଏଁ ଫାୟାର ସ୍କ୍ୱାର୍ଡ ରହିଛନ୍ତି । ସେମାନଙ୍କୁ ସମସ୍ତ ଅଗ୍ନି ନିର୍ବାପକ ଯନ୍ତ୍ର ସହିତ ଆନୁସାଙ୍ଗିକ ସାମଗ୍ରିକ ଦିଆଯାଇଛି । ଏହା ସହିତ ସ୍ଥାନୀୟ ଲୋକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ସଚେତନ ମଧ୍ୟ କରାଯାଉଥିବା କହିଛନ୍ତି ।
ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ନିଆଁ ଲାଗିଥାଏ । ତେବେ କୌଣସି ପ୍ରାକୃତିକ କାରଣ ରୁ ନୁହେଁ ବରଂ ମଣିଷ ନିଜେ ତାର ଫାଇଦା ପାଇଁ ଜଙ୍ଗଲରେ ନିଆଁ ଲଗାଇଥାଏ । ସ୍ଥାନୀୟ ଅଞ୍ଚଳରେ ବିଶେଷ କରି ମହୁଲ ଫୁଲ ଗୋଟାଇବାକୁ ଏବଂ କେନ୍ଦୁପତ୍ର ଗୋଛା କାଟିବାକୁ ଜଙ୍ଗଲର ନିଆଁ ଲଗାଯାଇଥାଏ । ଏ ସଂପର୍କ ରେ ବନ ବିଭାଗ ଲୋକଙ୍କୁ ସଚେତନ କରି ଜଙ୍ଗଲରେ ନିଆଁ ନ ଲଗାଇବାକୁ ନିବେଦନ କରୁଥିଲେ ହେଁ ଲୋକେ ମାନୁନାହାନ୍ତି । ଯାହା ଫଳରେ ପ୍ରତିବର୍ଷ ଜଙ୍ଗଲ ବୃଦ୍ଧି ପାଇବାରେ ବାଧା ସୃଷ୍ଟି ହେଉଛି।