କୋରାପୁଟ ଜିଲ୍ଲାର ସୁଙ୍କି ଘାଟିରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ଭବାନୀପାଟଣାରୁ ବିଶାଖାପାଟଣା ଯାଉଥିବା ଓଏସଆରଟିସି ଭଲଭୋ ବସ୍ଟି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଭାରସାମ୍ୟ ହରାଇ ୬୦ ଫୁଟ ତଳକୁ ପାହାଡ଼ ଘାଟିରେ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।
ରାତିର ନିରବତାକୁ ଭଙ୍ଗି ଦେଇଥିବା ଏହି ଘଟଣା ସମୟରେ ବସ୍ଟି ଘାଟି ମାର୍ଗରେ ଯାଉଥିଲା। ହଠାତ୍ ଚାଳକଙ୍କ ନିୟନ୍ତ୍ରଣ ହରାଇଯିବାରୁ ବସ୍ଟି ପାହାଡ଼ ତଳକୁ ଖସିଯାଇଥିଲା। ଦୁର୍ଘଟଣା ପରେ ଯାତ୍ରୀମାନଙ୍କର ଚିତ୍କାର ଶୁଣିବାକୁ ମିଲିଥିଲା।
ଘଟଣା ସମ୍ବନ୍ଧରେ ଖବର ପାଇ ସୁଙ୍କି ପୋଲିସ, ଅଗ୍ନିଶମ ବିଭାଗ, ଓ ସ୍ୱାସ୍ଥ୍ୟ ବିଭାଗର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ଯାତ୍ରୀ ବସ୍ ତଳେ ଚାପି ରହିଥିବାରୁ ଉଦ୍ଧାର କାର୍ଯ୍ୟ ବହୁତ କଷ୍ଟସାଧ୍ୟ ହୋଇପଡ଼ିଥିଲା। ତଥାପି ଦଳୀୟ ଉଦ୍ୟମରେ ସମସ୍ତ ଆହତଙ୍କୁ ବାହାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି। ଆହତମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଏହି ଘଟଣା ପୁଣିଥରେ ଘାଟି ରାସ୍ତାର ସୁରକ୍ଷା ଓ ଯାନ ଚଳାଚଳରେ ସଚେତନତା ଆବଶ୍ୟକତାକୁ ଆଗକୁ ଆଣିଛି।
ସେପଟେ ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ରଡ୍ ବେଝେଇ ଟ୍ରକକୁ ପଛପଟୁ ଚିପ୍ସ ବୋଝେଇ ହାଇୱା ଧକ୍କା ଦେବା ଫଳରେ ହାଇୱା ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଆଠଗଡ଼ ଅଗ୍ନିଶମ ବିଭାଗ ଓ ଗୁରୁଡ଼ିଝାଝିଆ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।