ଆଜିଠୁ ବଢିବ ତାତି। ରାଜ୍ୟରେ ପୁଣି ଫେରୁଛି ଗ୍ରୀଷ୍ମ ପ୍ରଭାବ। କାଳବୈଶାଖୀର ପ୍ରଭାବ କମିବା ସହିତ ଆଜିଠାରୁ ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ରାଜ୍ୟର ୧୧ଟି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ସହ ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଭଳି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ତାତିଅଧିକ ପ୍ରଭାବିତ ହେବେ। ଆର୍ଦ୍ରତା ବଢ଼ିବାରୁ ଗୁଳୁଗୁଳି ଅବସ୍ଥା ଜନଜୀବନକୁ ଅସହ୍ୟ କରିଦେବ ବୋଲି ସତର୍କ କରାଯାଇଛି।
ପାଣିପାଗ ବିଭାଗ ଅନୁସାରେ, ଆଜିଠାରୁ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ବିଶେଷକରି ୧୨ରୁ ୧୪ ତାରିଖ ମଧ୍ୟରେ ଗରମ ଓ ଗୁଳୁଗୁଳିର ପ୍ରକୋପ ଚୂଡ଼ାନ୍ତ ସ୍ତରକୁ ପହଞ୍ଚିପାରେ। ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ପାରଦ ୪୦ ଡିଗ୍ରୀ ସେଲସିଅସ ଛୁଇଁବା ନେଇ ଅନୁମାନ କରାଯାଇଛି।
ଏହାସହ ୧୫ ତାରିଖ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର କରିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହି ପରିସ୍ଥିତିରେ ଦିନବେଳେ ଘରୁ ବାହାରିବା ବେଳେ ସାବଧାନ ରହିବା, ପର୍ଯ୍ୟାପ୍ତ ପାଣି ପିଇବା ଓ ସୂର୍ଯ୍ୟର ସିଧାସଳଖ କିରଣରୁ ଦୂରେ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।