ବରଗଡ଼: "ଚାଷ କାମ ଯାହାର, କେଡେ ସୁଖ ତାହାର” ବହିରେ ପଢିଥିବା ଏହି ଉକ୍ତି ଆଜିର ପରିସ୍ଥିତିରେ ପୂରାପୂରି ମେଳ ଖାଉନି। କାରଣ ବରଗଡ଼ ଜିଲ୍ଲାରେ ଚାଷୀଙ୍କ ଦୁର୍ଦ୍ଦଶା ଏବେ ଏମିତି ଅବସ୍ଥାରେ ପହଞ୍ଚିଛି, ଯେଉଁଠାରେ ନିଜ କଷ୍ଟରେ ଉପଜାଇଥିବା ଧାନ ବିକ୍ରି କରିପାରୁନଥିବା ଚାଷୀମାନେ ଏବେ ଜୀବନ ଚାଳାଇବା ପାଇଁ ଗାଁ ଗାଁ ଘୁରି ସହାୟତା ମାଗୁଛନ୍ତି।
ଦୀର୍ଘ ଏକ ମାସ ହେବ, ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବିକ୍ରିରୁ ବଞ୍ଚିତ ଚାଷୀମାନେ ଧାରଣାରେ ବସି ନିଜ ଅଧିକାର ପାଇଁ ସଂଘର୍ଷ କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ କିମ୍ବା ସରକାର ପକ୍ଷରୁ କୌଣସି ସ୍ପଷ୍ଟ ପଦକ୍ଷେପ ନିଆଯାଇନାହିଁ। ଧାରଣାସ୍ଥଳରେ ଚାଷୀମାନେ ନିଜେ ରାନ୍ଧି ଖାଇବା ସହ ଜୀବନ ଚାଳାଉଛନ୍ତି। ଏହି ସମୟରେ ତାଙ୍କ ସମର୍ଥନରେ ଆଗକୁ ଆସିଛନ୍ତି ସ୍ଥାନୀୟ ଗ୍ରାମବାସୀ।
ଗାଁ ଲୋକେ ଘରୁ ଚାଉଳ ଓ ପନିପରିବା ଆଣି ଚାଷୀଙ୍କୁ ଦେଉଛନ୍ତି, ଯାହା ଏହି ଆନ୍ଦୋଳନକୁ ଏକ ମାନବିକ ରୂପ ଦେଇଛି। ୩୦ ଦିନ ଧରି ଚାଲିଥିବା ଏହି ଆନ୍ଦୋଳନ ଏବେ ଚାଷୀଙ୍କ ଦୁଃଖ ଓ ଅସହାୟତାକୁ ସ୍ପଷ୍ଟ କରୁଛି। ନିଜ ହକ ଅଧିକାର ପାଇଁ ଲଢ଼ୁଥିବା ଏହି ଚାଷୀମାନେ କେବେ ନ୍ୟାୟ ପାଇବେ, ଏହା ଉପରେ ସମସ୍ତଙ୍କ ନଜର ରହିଛି।