କଟକ ଜିଲ୍ଲା ସାଲେପୁର ଭାତପଡ଼ା ନିକଟରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା ଓଭରଟେକ୍ ପାଇଁ ଦୁଇ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ହୋଇଛି ଆଗକୁ ଯିବାର ଅହେତୁକ ନିଶା କିପରି ମହାବିପଦରେ ପରିଣତ ହୁଏ, ଏହି ଘଟଣା ତାହାର ଜ୍ୱଳନ୍ତ ଉଦାହରଣ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡାରୁ କଟକ ଆସୁଥିବା ଦୁଇଟି ଯାତ୍ରୀବାହୀ ବସ୍ ମଧ୍ୟରେ ଓଭରଟେକ୍ ପ୍ରତିଯୋଗିତା ଚାଲିଥିଲା। ଦ୍ରୁତ ଗତିରେ ଓଭରଟେକ୍ କରିବା ବେଳେ ଉଭୟ ବସ୍ ଚାଳକ ଭାରସାମ୍ୟ ହରାଇଦେଇଥିଲେ। ଫଳରେ ଦୁଇଟି ବସ୍ ଏକାସାଥି ରାସ୍ତାକଡ଼ର ବିଲ ଭିତରକୁ ପଶିଯାଇଥିଲା।
ଦୁର୍ଘଟଣାର ଭୟାବହତା ଏଥିରୁ ବୁଝାଯାଏ ଯେ, ଉଭୟ ବସର କାଚ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା। ଏହି ଘଟଣାରେ ଉଭୟ ବସର ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳକୁ ଧାଇ ଆସି ଆହତମାନଙ୍କୁ ଉଦ୍ଧାର କରିଥିଲେ ଏବଂ ଚିକିତ୍ସା ପାଇଁ ପଠାଇଥିଲେ।