ମହାନଦୀ ଜଳ ବିବାଦକୁ ନେଇ ଗଠିତ ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ପୁଣିଥରେ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର ଏହି ଟ୍ରିବ୍ୟୁନାଲର ଅବଧିକୁ ୨୦୨୭ ଜାନୁଆରୀ ୧୩ ପର୍ଯ୍ୟନ୍ତ ବଢ଼ାଇଛନ୍ତି।
ପୂର୍ବରୁ ଏହି ଟ୍ରିବ୍ୟୁନାଲର କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୧୩ରେ ସମାପ୍ତ ହେବାକୁ ଥିଲା। କିନ୍ତୁ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଆହୁରି ବଢ଼ାଇବାକୁ ଅନୁରୋଧ କରାଯାଇଥିଲା। ଦୁଇ ରାଜ୍ୟ ୨୦୨୭ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଅବଧି ବୃଦ୍ଧି ପାଇଁ କେନ୍ଦ୍ରକୁ ଅବଗତ କରିଥିଲେ। ଏହା ପରେ କେନ୍ଦ୍ର ସରକାର ପରିସ୍ଥିତିକୁ ବିଚାର କରି ଟ୍ରିବ୍ୟୁନାଲର କାର୍ଯ୍ୟକାଳକୁ ୨୦୨୭ ଜାନୁଆରୀ ୧୩ ପର୍ଯ୍ୟନ୍ତ ବଢ଼ାଇବା ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଚାଲିଆସୁଛି। ଏହି ବିବାଦର ସମାଧାନ ପାଇଁ ୨୦୧୮ ମାର୍ଚ୍ଚରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ନିୟମ ଅନୁସାରେ ୩ ବର୍ଷ ମଧ୍ୟରେ ଏହାର ଅନ୍ତିମ ରାୟ ଆସିବାକୁ ଥିଲା। କିନ୍ତୁ ଜଟିଳ ପ୍ରକ୍ରିୟା ଓ ତଥ୍ୟ ସଂଗ୍ରହ ହେତୁ ସମୟସୀମା ପୁଣି ବଢ଼ାଯାଇଛି।
ପ୍ରଥମେ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା, ପରେ ଏହାକୁ ୨୦୨୬ ଏପ୍ରିଲ ୧୩ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ବର୍ତ୍ତମାନ ପୁଣିଥରେ ଅବଧି ବୃଦ୍ଧି ପାଇବାରୁ ଏହି ବିବାଦର ଅନ୍ତିମ ସମାଧାନ ପାଇଁ ଅପେକ୍ଷା ଆହୁରି ଦୀର୍ଘ ହୋଇପଡ଼ିଛି। ଏହି ବୃଦ୍ଧି ପରେ ଏବେ ଦୁଇ ରାଜ୍ୟ ଆଶା କରୁଛନ୍ତି ଯେ ଟ୍ରିବ୍ୟୁନାଲ ଶୀଘ୍ର ଏକ ସ୍ପଷ୍ଟ ଓ ସମନ୍ୱିତ ରାୟ ଦେବ, ଯାହା ଦୀର୍ଘଦିନର ବିବାଦକୁ ସମାପ୍ତ କରିପାରିବ।