ନୟାଗଡ଼: ମିଠାର କଥା ଆସିଲେ ଓଡ଼ିଆଙ୍କ ମନରେ ପ୍ରଥମେ ଯାହାର ଛବି ଆସେ, ସେହିଟା ହେଉଛି ଛେନାପୋଡ଼। ସୁଗନ୍ଧ ଓ ସ୍ୱାଦର ଅଦ୍ଭୁତ ସମ୍ମିଶ୍ରଣ ଏହି ମିଠା ଆଜି କେବଳ ଖାଦ୍ୟ ନୁହେଁ, ବରଂ ଓଡ଼ିଶାର ଗର୍ବ ଓ ପରିଚୟର ପ୍ରତୀକ। ପିଲାଠାରୁ ବୃଦ୍ଧ ସମସ୍ତଙ୍କ ପସନ୍ଦର ଏହି ମିଠା ଦେଖିଲେ ମାତ୍ରେ ମୁହଁରେ ପାଣି ଆସିଯାଏ।
ଏକ ସମୟରେ ନୟାଗଡ଼ରେ ସୀମିତ ଥିବା ଛେନାପୋଡ଼ ଆଜି ସମଗ୍ର ଓଡ଼ିଶା ଏବଂ ଦେଶ ବାହାରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିନେଇଛି। ଏହାର ପଛରେ ରହିଛି ଏକ ରୋଚକ ଇତିହାସ। ୧୯୪୫ ମସିହାରେ ନୟାଗଡ଼ ଦଶପଲ୍ଲାରେ ଥିବା ଜଣେ ସାଧାରଣ ମିଠା ବ୍ୟବସାୟୀ ସ୍ୱର୍ଗତ ସୁଦର୍ଶନ ସାହୁ ଅଜାଣତେ ଏହି ଅଦ୍ଭୁତ ସ୍ୱାଦର ସୃଷ୍ଟି କରିଥିଲେ। ବଳିଥିବା ଛେନାକୁ ବ୍ୟର୍ଥ ଯାଇବାରୁ ବଞ୍ଚାଇବା ପାଇଁ ସେ ତାହାରେ ଚିନି ଓ ଚାଉଳ ଚୁନା ମିଶାଇ ନିଆଁରେ ପୋଡ଼ିଦେଲେ। ଏହି ସାଧାରଣ ପ୍ରୟୋଗ ଆଜିର ସୁସ୍ୱାଦୁ ଛେନାପୋଡ଼ର ଆରମ୍ଭ ହେଲା।
ପୋଡ଼ା ହେବା ସହିତ ଯେପରି ଏହାର ସ୍ୱାଦ ଅଧିକ ଗାଢ଼ ହୁଏ, ସେପରି ଏହାର ଲୋକପ୍ରିୟତା ମଧ୍ୟ ଦିନକୁ ଦିନ ବଢ଼ିଲା। ନୟାଗଡ଼ରୁ ଆରମ୍ଭ କରି ଏହା ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ପହଞ୍ଚିଛି ଏବଂ ଦେଶ ବାହାରେ ମଧ୍ୟ ଓଡ଼ିଆ ସଂସ୍କୃତିର ସ୍ୱାଦ ପହଞ୍ଚାଇଛି।
ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ଏହାର ବିଶେଷ ମହତ୍ତ୍ୱ ରହିଛି। ବାହୁଡ଼ା ଦିନ ଛେନାପୋଡ଼ ଭୋଗ ଭାବେ ଅର୍ପଣ କରାଯାଏ। ଏହି ମିଠାର ଗୌରବକୁ ସ୍ମରଣ କରି ପ୍ରତିବର୍ଷ ଏପ୍ରିଲ ୧୧କୁ ‘ଛେନାପୋଡ଼ ଦିବସ’ ଭାବେ ପାଳନ କରାଯାଏ। ନୟାଗଡ଼ର ଏହି ସାଧାରଣ ସୃଷ୍ଟି ଆଜି ବିଶ୍ୱ ମଞ୍ଚରେ ଓଡ଼ିଶାର ମିଠା ପରମ୍ପରାକୁ ବଢ଼ାଉଛି, ଏହା ହେଉଛି ଛେନାପୋଡ଼ର ସତ୍ୟ ସଫଳତା।