ଇସଲାମାବାଦ: ଇରାନ ସହ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପହଞ୍ଚିଛନ୍ତି ଆମେରିକାର ପ୍ରତିନିଧିମଣ୍ଡଳରେ ସାମିଲ୍ ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ । ଇରାନର ପ୍ରତିନିଧିମଣ୍ଡଳ ପୂର୍ବର ହିଁ ପାକିସ୍ତାନ ପହଞ୍ଚି ସାରିଛନ୍ତି । ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଆସୀମ ମୁନୀର ଦୁଇ ଦେଶର ପ୍ରତିନିଧିମଣ୍ଡଳକୁ ଏୟାରପୋର୍ଟରେ ସ୍ୱାଗତ କରିଛନ୍ତି । ତେବେ ଇରାନ ସହ ଆଲୋଚନା ପୂର୍ବରୁ ଭାନ୍ସ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ସାକ୍ଷାତ କରିବେ ବୋଲି ଜଣା ପଡିଛି ।
ଆମେରିକାର ପ୍ରତିନିଧିମଣ୍ଡଳରେ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହିତ ବିଶେଷ ରାଜଦୂତ ଷ୍ଟିଭ ୱିଟକଫ, ପରାମର୍ଶଦାତା ଜାରେଡ କୁଶନର ମଧ୍ୟ ସାମିଲ୍ । ଇରାନର ପ୍ରତିନିଧିମଣ୍ଡଳରେ ବିଦେଶ ମନ୍ତ୍ରୀ ଅବାସ ଅରାଘଚୀ, ସୁପ୍ରିମ ନ୍ୟାସନାଲ ଡିଫେନ୍ସ କାଉନସିଲର ସଚିବ ଅଲୀ ଆକବର ଅହମଦିୟନ, ସେଣ୍ଟ୍ରାଲ ବ୍ୟାଙ୍କ ବ୍ୟାଙ୍କର ଗଭର୍ଣ୍ଣର ଅବଦୋଲନାସେର ହେମତି ।
ଟ୍ରମ୍ପ ମଙ୍ଗଳବାର ଇରାନ ବିରୋଧରେ ଦୁଇ ସପ୍ତାହ ଅସ୍ତ୍ରବିରତି ଘୋଷଣା କରିଥିଲେ । ହେଲେ ଲେବାନନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ କାରଣରୁ ଅସ୍ତ୍ରବିରତି ଆଲୋଚନା ଦୁର୍ବଳ ହେବାକୁ ଯାଉଥିଲା । ହେଲେ ଦୁଇ ଦେଶର ପ୍ରତିନିଧିମଣ୍ଡଳ ଇସଲାମାବାଦରେ ପହଞ୍ଚି ସାରିଥିବାରୁ ଏହା ସୁନିଶ୍ଚିତ ହୋଇଛି ଯେ, ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବ ।
ତେବେ ଇରାନ ଅସ୍ତ୍ରବିରତି ଲେବାନନ ଉପରେ ଲାଗୁ ହେଉ ବୋଲି ଦାବି କରି ଆସିଛି । କିନ୍ତୁ ଆମେରିକା ଓ ଇସ୍ରାଏଲର କହିବା କଥା ଏହି ଅସ୍ତ୍ରବିିରତି କେବଳ ଆମେରିକା ଓ ଇରାନ ମଧ୍ୟରେ ସୀମିତ । ତେଣୁ ଶାନ୍ତି ଆଲୋଚନାରେ ଇରାନ ଲେବାନନ ପ୍ରସଙ୍ଗ ଉଠାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଆଗାମୀ ଦିନରେ ଅସ୍ତ୍ରବିରତିର ରୂପ ରେଖ କଣ ରହିବ ଆମେରିକା ଓ ଇରାନ ପକ୍ଷରୁ ରଖାଯିବାକୁ ଥିବା ସର୍ତ୍ତ ଉପରେ ଦୁଇ ଦେଶ କେମିତି ସହମତି ପ୍ରକାଶ କରୁଛନ୍ତି ତାହା ଉପରେ ଏବେ ସଭିଙ୍କ ନଜର ରହିଛି ।