ନୂଆଦିଲ୍ଲୀ: ସଂସଦ ଭବନ ଓ ନିର୍ବାଚନୀ ରାଲିରେ ପରସ୍ପର ବିରୋଧରେ କଡା ଶବ୍ଦରେ ପ୍ରୟୋଗ କରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓଟି ଏପ୍ରିଲ ୧୧ର ସେହି ସମୟର ଯେତେବେଳେ ପିଏମ ମୋଦୀ ସମାଜ ସୁଧାରକ ମହାତ୍ମା ଜ୍ୟୋତିବା ଫୁଲେଙ୍କ ପ୍ରତୀମାରେ ପୁଷ୍ପ ଅର୍ପିତ କରିବାକୁ ଯାଉଥିଲେ ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ସଂସଦ ଭବନ ପରିସରରେ ପ୍ରେରଣାସ୍ଥଳରେ ଲୋକସଭା ବାଚସ୍ପତି ଓମ ବିର୍ଲା, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ରାଜ୍ୟସଭାର ପୂର୍ବତନ ଉପାଧ୍ୟକ୍ଷ ହରିବଂଶ ଛିଡା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଜଣ ଜଣ କରି ସଭିଙ୍କୁ ଭେଟୁଛନ୍ତି ଏବଂ ପୁଣି ରାହୁଲ ଗାନ୍ଧୀଙ୍କ ସାମ୍ନାରେ ଛିଡା ହୋଇ ଯାଉଛନ୍ତି । ଏହା ପରେ ଦୁଇ ନେତା କଥା ହେବାରେ ଲାଗିଛନ୍ତି । ଦୁହିଁଙ୍କ ମଧ୍ୟରେ କଣ କଥା ହେଲେ ଏହା ତ ଜଣା ନାହିଁ ମାତ୍ର ଭିଡିଓରେ ଦେଖିବାକୁ ମିଳୁଛି ଯେ, ପିଏମ ମୋଦୀ ଓ ରାହୁଲ କିଛି ସେକେଣ୍ଡ ପରସ୍ପର ସହ କଥା ହେଉଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଖ୍ୟାତ ସମାଜ ସୁଧାରକ ଜ୍ୟୋତିରାଓ ଫୁଲେଙ୍କ ଜୟନ୍ତୀରେ ଶନିବାର ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଫୁଲେଙ୍କ ଜନ୍ମ ୧୮୨୭ ମସିହା ଏପ୍ରିଲ ୧୧ରେ ମହାରାଷ୍ଟ୍ରରେ ହୋଇଥିଲା । ତାଙ୍କର ନିଧନ ୧୮୯୦ ନଭେମ୍ବର ୨୮ରେ ହୋଇଥିଲା ।
ପିଏମ ମୋଦୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ମହାନ ସମାଜ ସୁଧାରକ ମହାତ୍ମା ଫୁଲେଙ୍କ ୨୦୦ତମ ଜୟନ୍ତୀ ଉପଲକ୍ଷେ ସମରୋହର ଆରମ୍ଭ ହେଉଛି । ସେ ନିଜର ପୂରା ଜୀବନ ଶିକ୍ଷା, ଜ୍ଞାନ ଓ ଜନ କଲ୍ୟାଣକୁ ସମର୍ପିତ କରିଥିଲେ । ସେ ଲେଖିଛନ୍ତି, ଫୁଲେ ମହିଳା ଏବଂ ସମାଜର ନିମ୍ନସ୍ତରରେ ଥିବା ଲୋକଙ୍କ ଅଧିକାର ପାଇଁ ଲଢେଇରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।
ତାଙ୍କ ବିଚାର ସାମାଜିକ ପ୍ରଗତିର ଦିଗରେ ସଭିଙ୍କୁ ମାର୍ଗଦର୍ଶନ କରୁଛି । ଫୁଲେଙ୍କ ପ୍ରୟାସରେ ଶିକ୍ଷା ସଶକ୍ତୀକରଣର ଏକ ଶକ୍ତିଶାଳୀ ମାଧ୍ୟମ ପାଲଟିଛି ବୋଲି ପିଏମ ମୋଦୀ କହିଛନ୍ତି ।