ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ପାକିସ୍ତାନର ଇସଲାମାବାଦ ଉପରେ ପୁରା ବିଶ୍ୱର ନଜର ରହିଛି। କାରଣ ଏହି ବୈଠକରୁ ଜଣା ପଡ଼ିବ ଯେ, ଯୁଦ୍ଧ ଜାରି ରହିବ କି ବନ୍ଦ ହେବ। ଏହି ଅବସରରେ ଆସନ୍ତୁ ଜାଣିବା ପାକିସ୍ତାନର ଦୁଇ ଭାଇ କେମିତି ବିଶ୍ୱର ପ୍ରଥମ କମ୍ପ୍ୟୁଟର ଭାଇରସ ତିଆରି କରି ଆମେରିକା ଓ ଦୁନିଆକୁ ଚମକାଇ ଦେଇଥିଲେ। , ବିଶ୍ୱର ପ୍ରଥମ IBM କମ୍ପାଟିବଲ୍ କମ୍ପ୍ୟୁଟର ଭାଇରସ ପ୍ରସ୍ତୁତ କରିଥିଲେ ଲାହୋରର ଦୁଇ ଭାଇ।
କିଏ ଏହି ଆଲଭି ଭାଇ?
ଏହି ଭାଇରସକୁ ‘ଲାହୋର ଭାଇରସ’, ‘ବ୍ରେନ୍ ଭାଇରସ’ କିମ୍ବା ‘ପାକିସ୍ତାନୀ ବ୍ରେନ୍ ଭାଇରସ’ ନାମରେ ଜଣାଯାଏ। ଏହାକୁ ୧୯ ବର୍ଷୀୟ ପ୍ରୋଗ୍ରାମର ବାସିତ ଫାରୁକ ଆଲଭି ଏବଂ ତାଙ୍କର ୨୬ ବର୍ଷୀୟ ଭାଇ ଅମଜଦ ଫାରୁକ ଆଲଭି ୧୯୮୬ ମସିହାରେ ପ୍ରସ୍ତୁତ କରିଥିଲେ।
ଭାଇରସ ପ୍ରସ୍ତୁତ କରିବାର କାରଣ
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଭାଇରସ କୌଣସି ବଡ଼ ଧରଣର କ୍ଷତି କରିବା ପାଇଁ ନୁହେଁ, ବରଂ ସଫ୍ଟୱେର୍ ପାଇରେସି ରୋକିବା ପାଇଁ ତିଆରି ହୋଇଥିଲା। ଲାହୋରରେ ସେମାନଙ୍କର ‘ବ୍ରେନ୍ କମ୍ପ୍ୟୁଟର ସର୍ଭିସେସ୍’ ନାମକ ଏକ ଦୋକାନ ଥିଲା, ଯେଉଁଠାରେ ସେମାନେ ନିଜେ ପ୍ରସ୍ତୁତ କରିଥିବା ମୂଲ୍ୟବାନ ସଫ୍ଟୱେର୍ ବିକ୍ରି କରୁଥିଲେ। କିନ୍ତୁ କିଛି ଲୋକ ସେହି ସଫ୍ଟୱେର୍କୁ ବିନା ଅନୁମତିରେ ନକଲ କରି ବ୍ୟବହାର କରୁଥିଲେ, ଯାହା ସେମାନଙ୍କୁ ବହୁତ ଦୁଃଖ ଦେଇଥିଲା।
ଆମେରିକୀୟ ଯୁବକମାନଙ୍କୁ ଶିକ୍ଷା
ଆଲଭି ଭାଇମାନେ ଲକ୍ଷ୍ୟ କଲେ ଯେ, ଲାହୋର ବୁଲିବାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକ ବିଶେଷ କରି ଆମେରିକୀୟ ଯୁବକମାନେ ଖୁବ୍ କମ୍ ମୂଲ୍ୟରେ ଏହି ପାଇରେଟେଡ୍ ସଫ୍ଟୱେର୍ କିଣିବାକୁ ଚେଷ୍ଟା କରୁଥିଲେ। ତେଣୁ ସେମାନେ ଏକ ଯୋଜନା କଲେ:
• ପାକିସ୍ତାନୀ ଗ୍ରାହକମାନଙ୍କୁ ସେମାନେ ଭାଇରସ-ମୁକ୍ତ ସଫ୍ଟୱେର୍ ବିକ୍ରି କରୁଥିଲେ।
• କିନ୍ତୁ ବିଦେଶୀ ବା ଆମେରିକୀୟ ଗ୍ରାହକମାନଙ୍କୁ ସେମାନେ ଭାଇରସ ଥିବା ଡିସ୍କ ଦେଉଥିଲେ।
ବାସିତ ଆଲଭିଙ୍କ ଅନୁଯାୟୀ, ଆମେରିକୀୟମାନେ ସଫ୍ଟୱେର୍ ଚୋରି କରୁଥିଲେ, ତେଣୁ ସେମାନଙ୍କୁ ଦଣ୍ଡ ମିଳିବା ଦରକାର ଥିଲା। ଯେତେବେଳେ ଜଣେ ବ୍ୟକ୍ତି ସେହି ଚୋରା ସଫ୍ଟୱେର୍ କମ୍ପ୍ୟୁଟରରେ ବ୍ୟବହାର କରୁଥିଲେ, ଏହି ଭାଇରସ ଫ୍ଲପି ଡିସ୍କ ଜରିଆରେ କମ୍ପ୍ୟୁଟରରେ ପଶିଯାଉଥିଲା ଏବଂ ସେହି ସଫ୍ଟୱେର୍ର କାମ କରିବା ଶୈଳୀକୁ ବଦଳାଇ ଦେଉଥିଲା।
ଭାଇରସ ଭିତରେ ଥିଲା ନିଜର ଠିକଣା
ଏହି ଭାଇରସର ଏକ ବିଶେଷତ୍ୱ ଥିଲା ଯେ, ଏହା କମ୍ପ୍ୟୁଟର ସ୍କ୍ରିନରେ ଏକ ମେସେଜ୍ ଦେଖାଉଥିଲା ଯେଉଁଥିରେ ଆଲଭି ଭାଇଙ୍କ ନାମ, ଠିକଣା ଏବଂ ଫୋନ୍ ନମ୍ବର ଲେଖାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଯେଉଁମାନେ ଚୋରା ସଫ୍ଟୱେର୍ ବ୍ୟବହାର କରୁଛନ୍ତି, ସେମାନେ ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ଏବଂ ସେମାନଙ୍କ ଭୁଲ୍ ସୁଧାରନ୍ତୁ। ୧୯୮୭ ମସିହା ପାଖାପାଖି ସେମାନେ ଏହି କାମ ବନ୍ଦ କରିଦେଇଥିଲେ, କାରଣ ସେମାନଙ୍କ ମତରେ ସଫ୍ଟୱେର୍ ଚୋରମାନେ ଉଚିତ୍ ଶିକ୍ଷା ପାଇସାରିଥିଲେ।