ରାମାନନ୍ଦ ସାଗରଙ୍କ ଧାରାବାହିକ 'ରାମାୟଣ'ରେ ଅନେକ କଳାକାର ଏପରି ଥିଲେ, ଯେଉଁମାନେ ନିଜ ଚରିତ୍ରରେ ପ୍ରାଣ ଭରି ଦେଇଥିଲେ ଏବଂ ନିଜ ଅସଲ ନାମ ଅପେକ୍ଷା ସେହି ଚରିତ୍ର ନାମରେ ହିଁ ପରିଚିତ ହେଲେ। ସେହିଭଳି ଜଣେ ପ୍ରତିଭାବାନ କଳାକାର ଥିଲେ ନଳିନ ଦାଭେ, ଯିଏ କୁମ୍ଭକର୍ଣ୍ଣ ଭୂମିକା ନିଭାଇଥିଲେ। ସେ ଏହି ଚରିତ୍ରକୁ ଏତେ ନିଖୁଣ ଭାବେ ଅଭିନୟ କରିଥିଲେ ଯେ, ଲକ୍ଡାଉନ୍ ସମୟରେ ଯେତେବେଳେ 'ରାମାୟଣ'ର ପୁନଃ ପ୍ରସାରଣ ହେଲା, ସେତେବେଳେ କୁମ୍ଭକର୍ଣ୍ଣଙ୍କ ବଧ ଦୃଶ୍ୟ ଦେଖି ଦର୍ଶକ କାନ୍ଦି ପକାଇଥିଲେ।
ଗୁଜରାଟୀ ସିନେମାର ତାରକା ଥିଲେ ନଳିନ ଦାଭେ
ନଳିନ ଦାଭେ ମୂଳତଃ ଗୁଜରାଟୀ ସିନେମାର ଜଣେ ପ୍ରତିଷ୍ଠିତ ଅଭିନେତା ଥିଲେ। ଥିଏଟର ଦୁନିଆରେ ମଧ୍ୟ ତାଙ୍କର ବେଶ୍ ଦବଦବା ଥିଲା। ତାଙ୍କର ଶକ୍ତିଶାଳୀ ଚେହେରା ଏବଂ ଗମ୍ଭୀର ସ୍ୱର ପାଇଁ ତାଙ୍କୁ କୁମ୍ଭକର୍ଣ୍ଣ ଚରିତ୍ର ମିଳିଥିଲା। ଦୁଃଖର କଥା ଯେ, 'ରାମାୟଣ' ପ୍ରସାରିତ ହେବାର ମାତ୍ର ୩ ବର୍ଷ ପରେ, ୧୯ ଜୁନ୍ ୧୯୯୦ରେ ମାତ୍ର ୫୦ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା।
ଦର୍ଶକଙ୍କ ହୃଦୟ ଜିତିଥିଲା କୁମ୍ଭକର୍ଣ୍ଣ ଚରିତ୍ର
ଯଦିଓ କୁମ୍ଭକର୍ଣ୍ଣଙ୍କୁ ଜଣେ ରାକ୍ଷସ ଭାବେ ଦର୍ଶାଯାଇଥିଲା, କିନ୍ତୁ ତାଙ୍କର ବୁଦ୍ଧି ଏବଂ ଧର୍ମନୀତି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଯେତେବେଳେ ରାବଣ ମାତା ସୀତାଙ୍କୁ ହରଣ କରିଥିଲେ, କୁମ୍ଭକର୍ଣ୍ଣ ତାଙ୍କୁ ଉଚିତ୍ ଶିକ୍ଷା ଦେବା ସହ ପୂର୍ବଜଙ୍କ ଅଭିଶାପ ବିଷୟରେ ମନେ ପକାଇ ଦେଇଥିଲେ। କିନ୍ତୁ ଭାଇ ପ୍ରତି ଥିବା ନିଷ୍ଠା ଯୋଗୁଁ ସେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଥିଲେ। ସେଥିପାଇଁ ତାଙ୍କ ମୃତ୍ୟୁରେ ଦେଶବାସୀ ଭାବପ୍ରବଣ ହୋଇପଡ଼ିଥିଲେ।
କିଭଳି ସୁଟ୍ ହୋଇଥିଲା ବଧ ଦୃଶ୍ୟ?
ସେ ସମୟରେ ଆଜି ଭଳି ଆଧୁନିକ ଗ୍ରାଫିକ୍ସ ନଥିଲା। ଲକ୍ଷ୍ମଣ ଭୂମିକା ନିଭାଇଥିବା କଳାକାର ସୁନୀଲ ଲହରୀ ଏହି ସୁଟିଂର ରହସ୍ୟ ଖୋଲିଥିଲେ। ଲାହିରି କହିଥିଲେ ଯେ, ରାମଙ୍କ ଶରରେ କୁମ୍ଭକର୍ଣ୍ଣଙ୍କ ଅଙ୍ଗ ପ୍ରତ୍ୟଙ୍ଗ କଟି ପଡ଼ିବାର ଦୃଶ୍ୟ ପାଇଁ କ୍ରୋମା ବ୍ୟବହାର କରାଯାଇଥିଲା। ଶରୀରରେ ନୀଳ କିମ୍ବା ସବୁଜ ରଙ୍ଗର ପଟି ବାନ୍ଧି ସେହି ଅଂଶଗୁଡ଼ିକୁ ପରଦାରେ କଟା ହୋଇଥିବା ପରି ଦର୍ଶାଯାଉଥିଲା। କୁମ୍ଭକର୍ଣ୍ଣଙ୍କ କଟା ହାତ ଏବଂ ଶରୀରର ବିଭିନ୍ନ ଅଂଶ ପ୍ରକୃତରେ 'ପ୍ଲାଷ୍ଟର ଅଫ୍ ପ୍ୟାରିସ୍'ରେ ତିଆରି ହୋଇଥିଲା। ଯେତେବେଳେ ଅଙ୍ଗ କଟିବାର ଶଟ୍ ଦିଆଯାଉଥିଲା, ପ୍ରକୃତରେ ସେହି POP ର ମଡେଲଗୁଡ଼ିକୁ ତଳେ ପକାଯାଉଥିଲା। କୁମ୍ଭକର୍ଣ୍ଣଙ୍କ ମୁଣ୍ଡ କଟି ସମୁଦ୍ରରେ ପଡ଼ିବା ଦୃଶ୍ୟ ପାଇଁ ଏକ ପାଣି ଟାଙ୍କି ତିଆରି କରାଯାଇଥିଲା। ସେଥିରେ କ୍ରୋମା ଇଫେକ୍ଟ ସାହାଯ୍ୟରେ POP ରେ ତିଆରି ମୁଣ୍ଡକୁ ମୁକୁଟ ପିନ୍ଧାଇ ପକାଯାଇଥିଲା।