ଇରାନ ସହିତ ଚାଲିଥିବା ଯୁଦ୍ଧ ଏବେ ଏମିତି ଏକ ମୋଡ଼ରେ ପହଞ୍ଚିଛି ଯେଉଁଠି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖରେ ଖୁବ୍ କମ୍ ବିକଳ୍ପ ବାକି ଅଛି। ଯେଉଁ ଧ୍ୱଂସଲୀଳାକୁ ସେ କିଛି ଦିନ ପାଇଁ ଟାଳି ଦେଇଥିଲେ, ତାହା ପୁଣି ଥରେ ଫେରିପାରେ। ସେହିପରି ଦ୍ୱିତୀୟ ବିକଳ୍ପଟି ଏସିଆର ଦୁଇ ବଡ଼ ଶକ୍ତି- ଚୀନ୍ ଏବଂ ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ।କାରଣ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଲୋଚନା ସର୍ତ୍ତବାଜୀ କାରଣରୁ ବିଫଳ ହୋଇଛି ଓ ଆମେରିକା ଉପରାଷ୍ଚ୍ରପତି ଜେଡିଭେନସ୍ ଖାଲି ହାତରେ ଦେଶକୁ ଫେରିଛନ୍ତି।
ବିଫଳ ହେଲା ପାକିସ୍ତାନ ଆଲୋଚନା
ଇରାନ-ଆମେରିକା ଯୁଦ୍ଧକୁ ନେଇ ଇସଲାମାବାଦରେ ହୋଇଥିବା ଶାନ୍ତି ଆଲୋଚନା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଉପରାଷ୍ଟ୍ରପତି ଜେଡି ଭେନ୍ସ କୌଣସି ଚୁକ୍ତି ବିନା ପାକିସ୍ତାନରୁ ଫେରି ଆସିଛନ୍ତି। ସେ କହିଛନ୍ତି ଯେ, ଆମେରିକା ଇରାନକୁ ତାର ଶେଷ ଏବଂ ସର୍ବୋତ୍ତମ ପ୍ରସ୍ତାବ ଦେଇସାରିଛି। ଏବେ ଦୁଇ ସପ୍ତାହର ସିଜଫାୟାର (ଯୁଦ୍ଧ ବିରତି) ସମୟ ସରିବାକୁ ଆସୁଥିବା ବେଳେ ଟ୍ରମ୍ପଙ୍କ ପାଖରେ ଦୁଇଟି ରାସ୍ତା ଖୋଲା ଅଛି।
ଟ୍ରମ୍ପଙ୍କ ପାଖରେ ଥିବା ଦୁଇଟି ବିକଳ୍ପ:
୧. ସାମରିକ ଆକ୍ରମଣ: ପ୍ରଥମ ବିକଳ୍ପ ହେଉଛି ଟ୍ରମ୍ପଙ୍କ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ, ଇରାନକୁ 'ପାଷାଣ ଯୁଗ'କୁ ପଠାଇବା ପାଇଁ ଭୟଙ୍କର ବୋମାମାଡ଼ କରିବା। ୨ଭେନେଜୁଏଲା ମଡେଲ: ଦ୍ୱିତୀୟ ବିକଳ୍ପଟି ହେଉଛି ଭେନେଜୁଏଲା ଭଳି ଇରାନର ଅର୍ଥନୀତିକୁ ପଙ୍ଗୁ କରିବା ପାଇଁ ନୌସେନା ଜରିଆରେ ସମୁଦ୍ର ପଥକୁ ଅବରୋଧ କରିବା। ଯଦି ଆମେରିକୀୟ ନୌସେନା ହୋର୍ମୁଜ ପ୍ରଣାଳୀ ନିୟନ୍ତ୍ରଣ ହାସଲ କରେ, ତେବେ ଇରାନର ତୈଳ ରପ୍ତାନି ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ।
ଭାରତ ଏବଂ ଚୀନ୍ ପାଇଁ ମୁସ୍କିଲ୍ କାହିଁକି?
ପାରସ୍ୟ ଉପସାଗରରେ ଆମେରିକାର ବିଶାଳ ଯୁଦ୍ଧପୋତ ୟୁଏସଏସ ଜେରାଲ୍ଡ ଫୋର୍ଡ ପହଞ୍ଚି ସାରିଛି। ଯଦି ଆମେରିକା ହୋର୍ମୁଜ ପ୍ରଣାଳୀରେ ପ୍ରତ୍ୟେକ ଜାହାଜ ଉପରେ କଟକଣା ଲଗାଏ, ତେବେ ଚୀନ୍ ଏବଂ ଭାରତ ପାଇଁ ଇରାନରୁ ଆସୁଥିବା ଶସ୍ତା ଅଶୋଧିତ ତୈଳ ବନ୍ଦ ହୋଇଯିବ। ଭାରତ ନିଜର ଶକ୍ତି ଆବଶ୍ୟକତା ପାଇଁ ଏହି ପଥ ଉପରେ ବହୁଳ ଭାବେ ନିର୍ଭରଶୀଳ। ଆମେରିକାର ଅନୁମତି ବିନା କୌଣସି ଟ୍ୟାଙ୍କର ଏହି ପଥ ଦେଇ ଯାଇପାରିବ ନାହିଁ, ଯାହା ଭାରତର ଅର୍ଥନୀତି ଉପରେ ଚାପ ପକାଇବ।
ଖର୍ଗ ଦ୍ୱୀପ ଉପରେ ନଜର
ବୈଜ୍ଞାନିକ ଏବଂ ସାମରିକ ବିଶେଷଜ୍ଞଙ୍କ ଅନୁସାରେ, ଟ୍ରମ୍ପଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା। ଏଥିପାଇଁ ଇରାନର ମୁଖ୍ୟ ତୈଳ ରପ୍ତାନି କେନ୍ଦ୍ର 'ଖର୍ଗ ଦ୍ୱୀପ' କୁ ନଷ୍ଟ କରାଯାଇପାରେ କିମ୍ବା କବ୍ଜା କରାଯାଇପାରେ। ଯଦି ଏପରି ହୁଏ, ଇରାନର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ।