ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କ ବିୟୋଗରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ରାଷ୍ଟ୍ରପତି କହିଛନ୍ତି, ଆଶା ଭୋସଲେଙ୍କ ବିୟୋଗ ସଂଗୀତ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଜଣେ ପ୍ରଖ୍ୟାତ ଗାୟିକା ଭାବରେ ତାଙ୍କର ପ୍ରସିଦ୍ଧ କ୍ୟାରିଅର ଭାରତରେ ସଂଗୀତର ଏକ ଯୁଗକୁ ପରିଭାଷିତ କରିଛି। ରାଷ୍ଟ୍ରପତି ଏହି ଅବସରରେ ଆଶାଙ୍କ ସହିତ ବିତାଇଥିବା କିଛି ବ୍ୟକ୍ତିଗତ ମୁହୂର୍ତ୍ତକୁ ମଧ୍ୟ ସ୍ମରଣ କରିଛନ୍ତି । ଜଣେ କଳାକାର ଏବଂ ଜଣେ ବ୍ୟକ୍ତି ଭାବରେ ନିଜ ଜୀବନକୁ ସେ ନିଜ ଇଚ୍ଛାରେ ବଞ୍ଚୁଥିଲେ । ତାଙ୍କର ସୁମଧୁର ଏବଂ କାଳଜୟୀ କଣ୍ଠସ୍ୱର ସହିତ, ସେ ଦଶନ୍ଧି ଧରି ଭାରତୀୟ ସଂଗୀତକୁ ସମୃଦ୍ଧ କରିଥିଲେ। ତାଙ୍କ ସଂଗୀତ ଚିରକାଳ ବଞ୍ଚି ରହିବ। ତାଙ୍କର ନିଧନ ସଂଗୀତ ପ୍ରେମୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ରାଷ୍ଟ୍ରପତି କହିବା ସହିତ ତାଙ୍କ ପରିବାର ଏବଂ ଅଗଣିତ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ସବୁଠାରୁ ପ୍ରସିଦ୍ଧ ଏବଂ ଭର୍ସାଟାଇଲ୍ କଣ୍ଠଶିଳ୍ପୀ ମାନଙ୍କ ମଧ୍ୟରୁ ଆଶା ଭୋସଲେ ଜଣେ ଥିଲେ । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଦଶନ୍ଧି ଧରି ତାଙ୍କର ଅନନ୍ୟ ସଙ୍ଗୀତ ଯାତ୍ରା ଆମର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିଛି ଏବଂ ବିଶ୍ୱର ଅଗଣିତ ଲୋକଙ୍କ ହୃଦୟକୁ ଛୁଇଁଛି। ଆତ୍ମାପୂର୍ଣ୍ଣ ସ୍ୱରଠାରୁ ଆରମ୍ଭ କରି ଉତ୍ସାହୀ ରଚନା ପର୍ଯ୍ୟନ୍ତ, ତାଙ୍କ ସ୍ୱରରେ ଏକ କାଳଜୟୀ ଚମକ ଥିଲା। ତାଙ୍କ ସହିତ ମୋର ଆଲୋଚନାର ସ୍ମୃତିକୁ ସର୍ବଦା ମନେ ରଖିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଶା ଭୋସଲେଙ୍କ ଦେହାନ୍ତ ଶୋକବ୍ୟକ୍ତ କରିଛନ୍ତି । କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କ କାଳଜୟୀ ସ୍ୱର କେବଳ ସଙ୍ଗୀତ ନଥିଲା, ଏହା ଏକ ଭାବନା ଥିଲା ଯାହା ପିଢ଼ି ପିଢ଼ିକୁ ପରିଭାଷିତ କରିଥିଲା। ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ପ୍ରକୃତରେ ଅପୂରଣୀୟ । ଗଭୀର ଶୋକର ଏହି ମୁହୂର୍ତ୍ତରେ ତାଙ୍କ ପରିବାର, ପ୍ରଶଂସକ ଏବଂ ସମଗ୍ର ସଙ୍ଗୀତ ଜଗତକୁ ମୁଖ୍ୟମନ୍ତ୍ରୀ ସମବେଦନା ଜ୍ଞାପନ କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ, କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ଆଜି ସକାଳେ ୯୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ ଓ ଫୁସଫୁସ ସଂକ୍ରମଣ କାରଣରୁ ଶନିବାର ଦିନ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରବିବାର ସକାଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିଲା । ଏହା ପରେ ପରେ ତାଙ୍କର ବିୟୋଗ ଖବର ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଆଶା ଭୋସଲେଙ୍କ ଦେହାନ୍ତ ନେଇ ନାତୁଣୀ ଜନାଇ ଭୋସଲେ ସୂଚନା ଦେଇଛନ୍ତି ।
୧୯୩୩ ମସିହା ସେପ୍ଟେମ୍ବର ୮ରେ ମହାରାଷ୍ଟ୍ରର ସାଙ୍ଗଲିରେ ଏକ ସଙ୍ଗୀତ ପରିବାରେ ଜନ୍ମ ଗ୍ରହଣ କରିଥିଲେ ଆଶା । ସେ ପଣ୍ଡିତ ଦୀନାନାଥ ମଙ୍ଗେସକର ଏବଂ ସେବନ୍ତୀଙ୍କ ସାନ ଝିଅ ଅଟନ୍ତି । ଭୋସଲେ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ଛୋଟ ଭଉଣୀ । ସେ ୧୨ ହଜାରରୁ ଅଧିକ ଗୀତ ଗାଇଛନ୍ତି । ଭୋସଲେଙ୍କ କିଛି ଲୋକପ୍ରିୟ ଗୀତ ମଧ୍ୟରେ ‘ଚୁରା ଲିୟା ହେ ତୁମନେ ଜୋ ଦିଲକୋ’, ‘ଅଭି ନା ଯାଓ ଛୋଡକର’, ‘ଇନ୍ତହା ହୋ ଗଇ ଇନ୍ତଜାର କି’, ‘ମୁଝେ ରଙ୍ଗଦେ’ ଆଦି ସାମିଲ । ଆଶାଙ୍କୁ ଦାଦା ସାହେବ ଫାଲକେ ଓ ଦେଶର ଦ୍ୱିତୀୟ ସବୁଠୁ ବଡ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଆଶା ଭୋସଲେ ପ୍ରଥମ ଭାରତୀୟ ଗାୟିକା ଯିଏ ଗ୍ରାମୀ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ । ସେ ୨୦ରୁ ଅଧିକ ଭାଷାରେ ଗୀତକୁ ନିଜର ସ୍ୱର ଦେଇଛନ୍ତି ।