ରଣବୀର ସିଂଙ୍କ ଫିଲ୍ମ ‘ଧୁରନ୍ଧର - ପାର୍ଟ ୨’ ବକ୍ସ ଅଫିସରେ ଇତିହାସ ରଚିଛି। ଫିଲ୍ମଟି ପ୍ରାୟ ୧୬୦୦ କୋଟି ଟଙ୍କାର ବ୍ୟବସାୟ କରି ଭାରତର ସବୁଠାରୁ ସଫଳ ଫିଲ୍ମ ତାଲିକାରେ ସାମିଲ ହୋଇଛି। ଏହି ଫିଲ୍ମରେ ପ୍ରତ୍ୟେକ କଳାକାର ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। କେବଳ ମୁଖ୍ୟ ନାୟକ ନୁହଁନ୍ତି, ବରଂ ସହ-ଅଭିନେତାମାନେ ମଧ୍ୟ ଦମଦାର କାମ କରିଛନ୍ତି।
ଫିଲ୍ମର ଟ୍ରେଲର ଆସିବା ଦିନଠାରୁ ଆତଙ୍କବାଦୀ ଜହୁର ମିସ୍ତ୍ରୀ ଚରିତ୍ରରେ ଅଭିନୟ କରିଥିବା ବିବେକ ସିହ୍ନାଙ୍କ ନାମ ସମସ୍ତଙ୍କ ମୁହଁରେ ରହିଛି। ବିବେକ ନିଜର ଛୋଟ ଭୂମିକାରେ ମଧ୍ୟ ଏତେ ଚମତ୍କାର ଅଭିନୟ କରିଛନ୍ତି ଯେ ଲୋକେ ତାଙ୍କର ପ୍ରଶଂସା କରୁଛନ୍ତି। କିନ୍ତୁ ଏହି ସମୟରେ ତାଙ୍କର ପାରିଶ୍ରମିକ (ଫିସ୍) କୁ ନେଇ ଏକ ବଡ଼ ଦାବି କରାଯାଉଛି, ଯାହାକୁ ନେଇ ଅଭିନେତା ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି।
‘ଏତେ ଟଙ୍କା ମିଳିନି ଭାଇ’
ବିବେକ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଅଭିନେତା କହିଛନ୍ତି- “ଏତେ ଭଲପାଇବା ଦେଇଥିବାରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। କିନ୍ତୁ କିଛି ଲୋକ ସୋସିଆଲ ମିଡିଆରେ ଏକ ଫର୍ମାଟ୍ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଫିଲ୍ମର କଳାକାରମାନଙ୍କ ଫିସ୍ ବିଷୟରେ କୁହାଯାଇଛି। ସେହି ଲିଷ୍ଟରେ ମୋ ନାମ ମଧ୍ୟ ଅଛି ଏବଂ ମୋ ଫିସ୍ ୮୦ ଲକ୍ଷରୁ ୧ କୋଟି ଟଙ୍କା ବୋଲି ଲେଖାଯାଇଛି। ସତ କହୁଛି ମୋତେ ଏତେ ଟଙ୍କା ମିଳିନାହିଁ।”
‘ମୁମ୍ବାଇରେ ରହୁଛି, ଏଠି ବହୁତ ଖର୍ଚ୍ଚ’
ଅଭିନେତା ଆହୁରି କହିଛନ୍ତି- “ଏସବୁ ଗୁଜବ ପୋଷ୍ଟ କରନ୍ତୁ ନାହିଁ। ଯେବେଠାରୁ ଆପଣମାନେ ଏସବୁ ପୋଷ୍ଟ କରିଛନ୍ତି, ମୋ ପାଖକୁ ଏତେ ସ୍କ୍ରିନସଟ୍ ଆସୁଛି ଯେ ମୁଁ ଆଶ୍ଚର୍ଯ୍ୟ। ଲୋକେ ମୋତେ ମେସେଜ୍ କରୁଛନ୍ତି ଯେ ‘ସାର୍ ପିଲା ଦେହ ଖରାପ ଅଛି, ଟଙ୍କା ଦିଅ’। ଭାଇ, ମୁଁ ଟଙ୍କା ଦିଅନ୍ତି କିନ୍ତୁ ମୋ ପାଖରେ ଏତେ ଟଙ୍କା ଥିଲେ ତ! ମୋତେ ‘ଧୁରନ୍ଧର’ରୁ ଟଙ୍କା ମିଳିଛି, ଯେତିକି ଆଶା ଥିଲା ସେତିକି ଭଲ ଟଙ୍କା ମିଳିଛି। କିନ୍ତୁ କୋଟି କୋଟି ଟଙ୍କା ମିଳିନି। ଯାହା ମିଳିଥିଲା ସେଇଟା ମଧ୍ୟ ଶେଷ ହୋଇଗଲାଣି। ମୁମ୍ବାଇ ଭଳି ସହରରେ ରହୁଛି, ଏଠି ବହୁତ ଖର୍ଚ୍ଚ। ମୋ ପାଖରେ ଭଲ ଟଙ୍କା ଥିଲେ ସାହାଯ୍ୟ କରିବାରେ ମୋର କୌଣସି ଅସୁବିଧା ନାହିଁ।”