ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ତ୍ୟାଗ କରିଛନ୍ତି ।
୧୩ ଜୁନ୍ ୧୯୫୧ରେ ରବି ସ୍ୱାଇଁ ପୁରୀରେ ଜନ୍ମ ଗ୍ରହଣ କରିଥିଲେ । ସେ ଦୀର୍ଘ ଦିନ ଧରି ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ। ରବି ସ୍ୱାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ଓଲିଉଡ଼କୁ ଅନେକ ସଫଳ ସିନେମା ଭେଟି ଦେଇଛନ୍ତି । ତାଙ୍କ ଦ୍ୱାରା ପ୍ରଯୋଜିତ ‘ଜୋର ଯାର ମୂଲକ ତାର’, ‘କି ହେବ ଶୁଆ ପୋଷିଲେ’, ‘ଉଦଣ୍ଡୀ ସୀତା’ ଓ ‘ପଞ୍ଜୁରୀ ଭିତରେ ଶାରୀ’ ଅନେକ ସଫଳତା ସାଉଁଟିଥି ।
ସେ କେବଳ ଜଣେ ସଫଳ ଶିଳ୍ପପତି ନୁହନ୍ତି ବରଂ ଜଣେ ଦୂରଦର୍ଶୀ ଶିକ୍ଷାବିତ୍ ଭାବେ ମଧ୍ୟ ବେଶ୍ ପରିଚିତ। ସେ ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ପିପିଲି ତଥା ଆଖପାଖ ଅଞ୍ଚଳରେ ଶିକ୍ଷାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। କ୍ଷେତ୍ରମୋହନ ମେମୋରିଆଲ୍ ଟ୍ରଷ୍ଟ୍, ଓମ୍ ଶାନ୍ତି +୨ ସାଇନ୍ସ କଲେଜ, କ୍ଷେତ୍ରମୋହନ ITC ଏବଂ ଦୈତାରୀ ITC ର ପ୍ରତିଷ୍ଠାତା।
ରବି ସ୍ୱାଇଁ ଦେହାନ୍ତରେ ସାରା ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି । ଓଡ଼ିଶା ସିନେମା ଜଗତ ଜଣେ ପ୍ରଖ୍ୟାତ ପ୍ରଯୋଜକଙ୍କୁ ହରାଇଲା । ଏହା ଏକ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ କଳାକାର କହିଛନ୍ତି ।