ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ମୁମ୍ବାଇସ୍ଥିତ ଶିବାଜୀ ପାର୍କରେ ଆଶାଙ୍କ ଅନ୍ତିମ କ୍ରିୟା ସମାପନ ହୋଇଛି । ସୋମବାର ସନ୍ଧ୍ୟା ୫ଟା ୨୨ ମିନିଟ୍ ସମୟରେ ପୁଅ ଆନନ୍ଦ ଭୋସଲେ ମାଆଙ୍କୁ ମୁଖାଗ୍ନି ଦେଇଛନ୍ତି । ଏହି ସମୟରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସମସ୍ତେ ଲୁହ ଭିଜା ଆଖିରେ ଦିଦିଙ୍କୁ ଶେଷ ବିଦାୟ ଦେଇଥିଲେ । ହେଲେ ତାଙ୍କ ସ୍ୱର ଏବଂ ଗୀତ କାଳ କାଳକୁ ଅମର ହୋଇ ରହିଯିବ ।
ଆଶା ଭୋସଲେଙ୍କ ଶବବାହକ ଗାଡ଼ିକୁ ବିଭିନ୍ନ ଫୁଲର ଏକ ବିଶାଳ ସାଜସଜ୍ଜାରେ ସଜାଯାଇଥିଲା । ତାଙ୍କ ଫଟୋ ମଧ୍ୟ ଗାଡ଼ିର ସାମ୍ନାରେ ଲଗାଯାଇଥିଲା। ଆଶାଙ୍କୁ ନେବାକୁ ଶବବାହକ ଗାଡ଼ିକୁ ୫୦୦ ରୁ ୧,୦୦୦ କିଲୋଗ୍ରାମ ଫୁଲରେ ସଜାଯାଇଥିଲା । ପ୍ରାୟ ୫୦୦ ରୁ ୮୦୦ କଟା ଫୁଲ ସାମିଲ ଥିଲା।
ସକାଳ ସାଢ଼େ ୧୦ଟାରୁ ଆରମ୍ଭ କରି ଅପରାହ୍ନ ୨ଟା ଯାଏ କସା ଗ୍ରାଣ୍ଡେଠାରେ ଆଶାଙ୍କ ଅନ୍ତିମ ଦର୍ଶନ ପାଇଁ ଆୟୋଜିତ ହୋଇଥିଲା । ରାଜନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା, କ୍ରୀଡ଼ାବିତ୍, କଣ୍ଠଶିଳ୍ପୀମାନେ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆଶାଙ୍କୁ ଶେଷ ଦର୍ଶନ କରିବାକୁ ପହଁଚିଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍, ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ, ପୂର୍ବତନ କ୍ରିକେଟର୍ ସଚିନ ତେନ୍ଦୁଲକର ଓ ତାଙ୍କ ପତ୍ନୀ ଅଞ୍ଜଳି, ଗାୟିକା ଅନୁରାଧା ପୌଡୁୱାଲ, ଅଭିନେତା ଜ୍ୟାକି ଶ୍ରଫ୍, ରଣବୀର ସିଂ, ହେଲେନ୍, ରାକେଶ ରୋଶନ, ରିତେଶ ଦେଶମୁଖ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ଏହା ପରେ ଆଶା ତାଇଙ୍କ ପାର୍ଥିବ ଶରୀର ବିରାଟ ଶୋଭାଯାତ୍ରାରେ ଶ୍ମଶାନ ଘାଟ ଅଭିମୁଖେ ବାହାରିଥିଲା । ରାସ୍ତାରେ ଦୁଇ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ପ୍ରଶଂସକ ମଧ୍ୟ ଆଖିରେ ଆଖିଏ ଲୁହ ଭରି ପ୍ରିୟା ଗାୟିକାଙ୍କୁ ବିଦାୟ ଦେଉଥିବାର ଦେଖିବାକୁ ମିଳିଥିଲା ।
ଉଲ୍ଲେଖ ଯୋଗ୍ୟ, ଆଶା ଭୋସଲେ ଗତ ଶନିବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରବିବାର ସକାଳେ ୯୨ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ହୃଦଘାତ ଓ ଫୁସଫୁସ ସଂକ୍ରମଣ କାରଣରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିଲା ।
୧୯୩୩ ମସିହା ସେପ୍ଟେମ୍ବର ୮ରେ ମହାରାଷ୍ଟ୍ରର ସାଙ୍ଗଲିରେ ଏକ ସଙ୍ଗୀତ ପରିବାରେ ଜନ୍ମ ଗ୍ରହଣ କରିଥିଲେ ଆଶା । ସେ ପଣ୍ଡିତ ଦୀନାନାଥ ମଙ୍ଗେସକର ଏବଂ ସେବନ୍ତୀଙ୍କ ସାନ ଝିଅ ଅଟନ୍ତି । ଭୋସଲେ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ଛୋଟ ଭଉଣୀ । ସେ ୧୨ ହଜାରରୁ ଅଧିକ ଗୀତ ଗାଇଛନ୍ତି । ଭୋସଲେଙ୍କ କିଛି ଲୋକପ୍ରିୟ ଗୀତ ମଧ୍ୟରେ ‘ଚୁରା ଲିୟା ହେ ତୁମନେ ଜୋ ଦିଲକୋ’, ‘ଅଭି ନା ଯାଓ ଛୋଡକର’, ‘ଇନ୍ତହା ହୋ ଗଇ ଇନ୍ତଜାର କି’, ‘ମୁଝେ ରଙ୍ଗଦେ’ ଆଦି ସାମିଲ । ଆଶାଙ୍କୁ ଦାଦା ସାହେବ ଫାଲକେ ଓ ଦେଶର ଦ୍ୱିତୀୟ ସବୁଠୁ ବଡ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଆଶା ଭୋସଲେ ପ୍ରଥମ ଭାରତୀୟ ଗାୟିକା ଯିଏ ଗ୍ରାମୀ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ । ସେ ୨୦ରୁ ଅଧିକ ଭାଷାରେ ଗୀତକୁ ନିଜର ସ୍ୱର ଦେଇଛନ୍ତି ।