ଆଇପିଏଲ ଇତିହାସର ଦୁଇ ସଫଳ ଦଳ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡ଼ର୍ସ ଆଜି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ୫ ଥର ଆଇପିଏଲ ବିଜେତା ଚେନ୍ନାଇ ମାତ୍ର ଗୋଟିଏ ବିଜୟ ସହ ଚଳିତ ସିଜିନ ପଏଣ୍ଟସ ଟେବୁଲରେ ନବମ ସ୍ଥାନରେ ରହିଛି । ସେହିଭଳି ୩ ଥର ଆଇପିଏଲ ବିଜେତା କୋଲକାତା ୪ ଟି ମ୍ୟାଚ ପରେ ମଧ୍ୟ ପ୍ରଥମ ବିଜୟ ଅପେକ୍ଷାରେ ରହିଛି ଓ ପଏଣ୍ଟସ ଟେବୁଲର ଦଶମ ସ୍ଥାନରେ ରହିଛି ।
ଚେନ୍ନାଇ ପାଇଁ ପ୍ରଥମ ସିଜିନ ଖେଳୁଥିବା ସଞ୍ଜୁ ସାମସନ ଦିଲ୍ଲୀ ବିପକ୍ଷ ମ୍ୟାଚରେ ନିଜ ଫର୍ମ ଫେରିପାଇଥିଲେ । ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରି ମାତ୍ର ୫୬ ବଲରେ ୧୧୫ ରନର ଅପରାଜିତ ଇନିଂସ ଖେଳିଥିଲେ ସଞ୍ଜୁ ଓ ଚେନ୍ନାଇ ଚଳିତ ସିଜିନର ପ୍ରଥମ ବିଜୟ ହାସଲ କରିଥିଲା । ଅନ୍ୟପଟେ କୋଲକାତାର ସ୍ଥିତି ବେଶ ଜଟିଳ, ଦଳର ଅଧିକାଂଶ ଖେଳାଳି ଫର୍ମରୁ ବାହାରେ ଥିବାରୁ ଦଳ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ।
କେମିତି ରହିବ ଆଜିର ପିଚ ?
ଆଜିର ମ୍ୟାଚ ଯେଉଁ ପିଚରେ ଖେଳାଯିବ ତାହା ହେଉଛି ପଡ଼ିଆର ୬ ନମ୍ବର ପିଚ, ଯାହା ବ୍ୟାଟ୍ସମ୍ୟାନ ମାନଙ୍କୁ ସୁହାଇବ । ଯେଉଁ ପିଚରେ ଆଜିର ମ୍ୟାଚ ଖେଳାଯିବ ସେଠି ଶେଷ ୪ ଟି ମ୍ୟାଚ ରୁ ତିନୋଟି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଛି । ଯାହାର ଅର୍ଥ ଚେନ୍ନାଇରେ ସ୍କୋରବୋର୍ଡ଼ର ଚାପ ରହିଥାଏ, ତେଣୁ ପ୍ରଥମେ ବ୍ୟାଟିଂ କରୁଥିବା ଦଳକୁ ସ୍କୋର କରିବା ସାମାନ୍ୟ ସହଜ ହେବ ।
ଏହା ଏକ କଳା ମାଟିରେ ପ୍ରସ୍ତୁତ ପିଚ, ଯେଉଁଥିରେ ଆରମ୍ଭରୁ ବଡ ସଟ୍ ଖେଳିବ କଷ୍ଟକର । ବ୍ୟାଟ୍ସମ୍ୟାନ କିଛି ସମୟ ପଡିଆରେ ଅତିବାହିତ କରିବା ପରେ ଏହି ପିଚରେ ବ୍ୟାଟିଂ କରିବା ସହଜ ହେବ । ଏହି ପିଚ ଦ୍ରୁତ ବୋଲରଙ୍କ ପାଇଁ ବେଶ ସହାୟକ ହେବ । ଠିକ ଲାଇନ ଓ ଲେନ୍ଥ ରେ ବୋଲିଂ କଲେ ଖାସ କରି ହାର୍ଡ ଲେନ୍ଥ ରେ ବୋଲିଂ କଲେ ସଫଳତା ମିଳିବାର ସମ୍ଭାବନା ରହିଛି ।
ପୂର୍ବ ଭଳି ଚେନ୍ନାଇ ଆଉ ଲୋ-ସ୍କୋରିଂ ଗ୍ରାଉଣ୍ଡ ନୁହେଁ, ଏଠାରେ ମଧ୍ୟ ବଡ ସ୍କୋର ଦେଖିବାକୁ ମିଳୁଛି । ଅନେକ ସମୟରେ ଏଠାରେ ୨୦୦ ରନ ମଧ୍ୟ ଦେଖିବାକୁ ମିଳୁଛି । ଚେନ୍ନାଇ ଓ ଦିଲ୍ଲୀ ବିପକ୍ଷ ମ୍ୟାଚ ଏହି ଗ୍ରାଉଣ୍ଡରେ ଖେଳାଯାଇଥିଲା, ଯେଉଁଥିରେ ସଞ୍ଜୁ ସାମସନଙ୍କ ଶତକ ବଳରେ ଚେନ୍ନାଇ ପ୍ରଥମ ଇନିଂସରେ ୨୧୨ ରନ ସଂଗ୍ରହ କରିଥିଲା ।