ସ୍ଵିଙ୍ଗ କିଙ୍ଗ ଭୁବନେଶ୍ୱର କୁମାର ଗୁରୁବାର ଇତିହାସ ରଚିଛନ୍ତି । ଆଇପିଏଲ ୨୦୨୬ ର ୪୨ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଗୁଜୁରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ଏକ ଚମତ୍କାର ସ୍ପେଲ ପକାଇଥିଲେ । ଏହି ମ୍ୟାଚରେ ପ୍ରଥମ ୱିକେଟ୍ ଅକ୍ତିଆର କରିବା ସହ ଭୁବନେଶ୍ୱର ଟି-୨୦ କ୍ରିକେଟରେ ୩୫୦ ୱିକେଟ୍ ହାସଲ କରିଛନ୍ତି ।
ପୁରୁଷ ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ସେ ପ୍ରଥମ ଭାରତୀୟ ଦ୍ରୁତ ବୋଲର ହୋଇଛନ୍ତି । ଏହା ସହ ସେ ଟି-୨୦ କ୍ରିକେଟରେ ୩୫୦ ୱିକେଟ୍ ନେଇଥିବା ସେ ଦ୍ଵିତୀୟ ଭାରତୀୟ ବୋଲର ହୋଇଛନ୍ତି । ଏହି କୀର୍ତ୍ତିମାନ ହାସଲ କରିଥିବା ପ୍ରଥମ ଭାରତୀୟ ବୋଲର ହେଉଛନ୍ତି ୟୁଜଭେନ୍ଦ୍ର ଚହଲ, ଟି-୨୦ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ମଧ୍ୟ ଚହଲ।
ଭୁବନେଶ୍ୱର କୁମାର ବର୍ତ୍ତମାନ ସୁଦ୍ଧା ୩୨୫ ଟି ଟି-୨୦ ମ୍ୟାଚ ଖେଳିଛନ୍ତି ଓ ସର୍ବମୋଟ ୩୫୨ ଟି ୱିକେଟ୍ ହାସଲ କରିଛନ୍ତି। ଗୁରୁବାର ଗୁଜୁରାଟ ବିପକ୍ଷ ମ୍ୟାଚରେ ଭୁବନେଶ୍ୱର ୩ ଟି ୱିକେଟ୍ ନେଇଥିଲେ। ସେ ୪ ଓଭରରେ ମାତ୍ର ୨୮ ରନ ଦେଇ ୩ ଟି ୱିକେଟ୍ ନେଇଥିଲେ। ଗୁଜୁରାଟର ଟପ ଅର୍ଡରକୁ ପ୍ୟାଭିଲିଅନ ପଠାଇବାରେ ସଫଳ ହୋଇଥିଲେ ଭୁବନେଶ୍ୱର, ପ୍ରଥମେ ସାଇ ସୁଦର୍ଶନ (୬), ପରେ ଅଧିନାୟକ ଶୁଭମନ ଗିଲ (୪୩) ଓ ଶେଷରେ ଜସ ବଟଲର (୩୯) ଙ୍କୁ ଆଉଟ କରିଥିଲେ।
ଏହି ମ୍ୟାଚରେ ଭୁବନେଶ୍ୱରଙ୍କ ଚମତ୍କାର ବୋଲିଂର ପ୍ରଦର୍ଶନ ସତ୍ୱେ ବେଙ୍ଗାଲୁରୁର ପରାଜୟର ସାମ୍ନା କରିବାକୁ ପଡିଛି । ଏକ ଲୋ-ସ୍କୋରିଂ ମ୍ୟାଚରେ ଭୁବନେଶ୍ୱର ଆରମ୍ଭରୁ ୱିକେଟ୍ ନେବାରେ ସଫଳ ହେଲେ ମଧ୍ୟ ଗୁଜୁରାଟର ଆଟାକିଙ୍ଗ ବ୍ୟାଟିଂ ବଳରେ ଗୁଜୁରାଟ ମ୍ୟାଚ ଜିତିଛି ।
ଟି-୨୦ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ
୩୯୧* ୱିକେଟ୍ - ୟୁଜଭେନ୍ଦ୍ର ଚହଲ
୩୫୨* ୱିକେଟ୍ - ଭୁବନେଶ୍ୱର କୁମାର
୩୪୭* ୱିକେଟ୍ - ଜସପ୍ରିତ ବୁମରା
୩୨୭ ୱିକେଟ୍ - ପୀୟୁଷ ଚାୱଲା
୩୧୭ ୱିକେଟ୍ - ରବିଚନ୍ଦ୍ରନ୍ ଅଶ୍ୱିନ