ଆଇପିଏଲ ୨୦୨୬ ରୁ ଆହତ ହୋଇ ସଂପୂର୍ଣ୍ଣ ସିଜିନରୁ ବାଦ ପଡିଛନ୍ତି ମିଚିଲ ସାଣ୍ଟନର । ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଫିଲଡିଂ କରୁଥିବା ସମୟରେ ସାଣ୍ଟନରଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା । ଚଳିତ ଆଇପିଏଲ ସିଜିନରୁ ସାଣ୍ଟନର ବାଦ ପଡ଼ିବା ପରେ ତାଙ୍କ ସ୍ଥାନରେ ମୁମ୍ବାଇ କେଶବ ମହାରାଜଙ୍କୁ ଦଳରେ ସାମିଲ କରିଛି । କେଶବ ମହାରାଜ ୭୫ ଲକ୍ଷ ଟଙ୍କା ମୂଲ୍ୟରେ ଦଳରେ ସାମିଲ ହୋଇଛନ୍ତି।
ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସାଣ୍ଟନର ଏହି ସପ୍ତାହରେ ନ୍ୟୁଜିଲାଣ୍ଡ ଫେରିଛନ୍ତି ଓ ଶୁକ୍ରବାର ସକାଳେ ଜଣେ ବିଶେଷଜ୍ଞଙ୍କ ସହ ପରାମର୍ଶ କରିଛନ୍ତି । ଆଘାତକୁ ଦୃଷ୍ଟିରେ ରଖି ତାଙ୍କୁ ଅତି କମରେ ଗୋଟିଏ ମାସ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।
ସାଣ୍ଟନର ମୁମ୍ବାଇ ଇଂଡିଆନ୍ସ ପାଇଁ ଜଣେ ବାମ ହାତୀ ବୋଲିଂ ସହିତ ବାମ ହାତୀ ବ୍ୟାଟିଂ ବିକଳ୍ପ ମଧ୍ୟ ପ୍ରଦାନ କରୁଥିଲେ । ସେ ଆହତ ହେବା ପରେ ମୁମ୍ବାଇ ପାଇଁ ଚିନ୍ତା ବଢିଛି । ଯଶପ୍ରୀତ ବୁମରାଙ୍କ ଓଭରରେ କାର୍ତ୍ତିକ ଶର୍ମାଙ୍କୁ ଆଉଟ କରିବା ପାଇଁ ଡାଇଭିଂ କ୍ୟାଚ ଧରିଥିଲେ । ଏହି ପ୍ରକ୍ରିୟାରେ ତାଙ୍କ କାନ୍ଧ ଓ ମୁଣ୍ଡରେ ଆଘାତ ଲାଗିଥିଲା । ଫଳସ୍ୱରୂପ, ସେ ଆୟରଲ୍ୟାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ଓ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ଉପଲବ୍ଧ ହେବେ ନାହିଁ। ଏହା ସହିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ତାଙ୍କର ଉପଲବ୍ଧତା ସମ୍ପର୍କରେ ସୂଚନା ଦିଆଯିବ।