ନୂଆଦିଲ୍ଲୀ: ପୁଣି ଥରେ ଜନତା ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ପହଁଚାଇଛନ୍ତି । ଭାରତୀୟ ରେଳବାଇର ଏକ ଟ୍ରେନରେ ଜଣେ ଯାତ୍ରୀ ସିଟ୍ ଚିରୁଥିବାର ଭିଡ଼ିଓ ଭାଇରାଲ ହେଉଛି । ଖାଲି ସେତିକି ନୁହେଁ ଜଣେ ଯାତ୍ରୀ ସିଟ୍ ଚିରୁଥିବାବେଳେ ତାଙ୍କ ବନ୍ଧୁ ଭିଡ଼ିଓ କରି ଖୁସି ହେଉଛନ୍ତି । ଏହି ଭିଡ଼ିଓ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଭିଡ଼ିଓରେ ଜଣେ ଯାତ୍ରୀ ଜାଣିଶୁଣି ଟ୍ରେନର ଏକ ସିଟ୍ ଚିରି ଦେଉଛନ୍ତି । ଆଉ ଜଣେ ସହଯାତ୍ରୀ ଏହାକୁ ଭିଡ଼ିଓ କରୁଛନ୍ତି । ତେବେ କାହିଁକି ସେ ଟ୍ରେନ୍ ସିଟ୍ ଚିରିଛନ୍ତି, କେଉଁ ଟ୍ରେନ୍ ଏବଂ କେଉଁଠିକା ଯାତ୍ରୀ ତାହା ଜଣାପଡ଼ିନି । ରେଳ ଯାତ୍ରୀଙ୍କ ଦ୍ୱାରା ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବାର ଏପରି କାର୍ଯ୍ୟ ନାଗରିକ ଶୃଙ୍ଖଳା ସମ୍ପର୍କରେ ଗମ୍ଭୀର ପ୍ରଶ୍ନ ଉଠାଇଥାଏ। ତଥାପି, ଏହି ଭିଡିଓଟି କେବେ ଏବଂ କେଉଁଠାରେ ରେକର୍ଡ କରାଯାଇଥିଲା ତାହା ବର୍ତ୍ତମାନ ସ୍ପଷ୍ଟ ନୁହେଁ। ତେବେ ଏହାକୁ ସେମାନେ ସୋସିଆଲ୍ ମିଡ଼ିଆରେ ଅପଲୋଡ୍ କରିବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ, ଲୋକମାନେ ରେଳ ସୁରକ୍ଷା ବଳ (RPF) ଏବଂ ରେଳ ମନ୍ତ୍ରଣାଳୟକୁ ଟ୍ୟାଗ୍ କରିବା ଆରମ୍ଭ କରିଛନ୍ତି । ଏହି ଅସାମାଜିକ ବ୍ୟକ୍ତିକୁ ଚିହ୍ନଟ କରି ତାଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଯାହା ସହିତ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବା ସହିତ ଗିରଫ କରିବାକୁ ମଧ୍ୟ ଦାବି ହୋଇଛି ।
ତେବେ ଏ ନେଇ ଭାରତୀୟ ରେଳ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।