ଚେନ୍ନାଇ: ତାମିଲନାଡୁ ନିର୍ବାଚନ ଫଳାଫଳ ପରେ ସରକାର ଗଠନ ପାଇଁ ଅଙ୍କକଷା ଜଟିଳ ହେବାରେ ଲାଗିଛି। ମାତ୍ର ୩ ବର୍ଷ ତଳେ ଗଠିତ ଅଭିନେତା ବିଜୟଙ୍କ ଦଳ ତାମିଲଗା ଭେଟ୍ରି କାଝାଗମ (TVK) ୧୦୮ଟି ଆସନ ସହ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। କିନ୍ତୁ ବହୁମତ ପାଇଁ ଆବଶ୍ୟକ ୧୧୮ ସଂଖ୍ୟାରୁ ଏବେ ବି ଦୂରରେ ଅଛନ୍ତି ବିଜୟ। ଏହାରି ଭିତରେ ଦୁଇ ଦ୍ରାବିଡ଼ ଦଳ DMK ଓ AIADMK ମଧ୍ୟରେ ଗୋପନ ବୁଝାମଣା ଚାଲିଥିବା ଖବର ମିଳିଛି। ବିଜୟଙ୍କୁ ସରକାରରୁ ଦୂରେଇବା ପାଇଁ ଏବେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାର୍ଟି ମଧ୍ୟରେ ମେଣ୍ଟ ହେବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି।
ପ୍ରଥମ ଥର ପାଇଁ ଏକାଠି ହେବେ କି ଦୁଇ ପାରମ୍ପରିକ ଶତ୍ରୁ?
ରିପୋର୍ଟ ଅନୁଯାୟୀ, ବିଜୟଙ୍କୁ ଶାସନ ଗାଦିରୁ ଦୂରେଇ ରଖିବା ପାଇଁ DMK ଏବଂ AIADMK ମଧ୍ୟରେ ପରଦା ପଛରେ ଆଲୋଚନା ଆରମ୍ଭ ହୋଇଛି। ଏହି ଦୁଇ ଦଳ ଦଶନ୍ଧି ଦଶନ୍ଧି ଧରି ପରସ୍ପରର ଘୋର ବିରୋଧୀ ରହିଆସିଛନ୍ତି।୧୯୭୨ ମସିହାରେ ଏମ. କରୁଣାନିଧିଙ୍କ ଦ୍ଵାରା DMK ରୁ ବହିଷ୍କୃତ ହେବା ପରେ ଏମ.ଜି. ରାମଚନ୍ଦ୍ରନ (MGR) AIADMK ଗଠନ କରିଥିଲେ। ସେବେଠାରୁ ଏହି ଦୁଇ ଦଳ ମଧ୍ୟରେ ଚାଲିଥିବା ତିକ୍ତତା ରାଜ୍ୟ ରାଜନୀତିର ପରିଭାଷା ବଦଳାଇ ଦେଇଥିଲା। ଏବେ ବିଜୟଙ୍କ ସଫଳତା ସେମାନଙ୍କୁ ଏକାଠି ହେବାକୁ ବାଧ୍ୟ କରୁଥିବା ପରି ମନେହେଉଛି।
ସଂଖ୍ୟା ଗଣିତର ଖେଳ
ଯଦି ଏହି ଦୁଇ ଦଳ ଏକାଠି ହୁଅନ୍ତି, ତଥାପି ସେମାନଙ୍କ ପାଇଁ ବାଟ ସହଜ ନୁହେଁ। କାରଣ DMK ପାଖରେ ୫୯ ଆସନ ଏବଂ AIADMK ପାଖରେ ୪୭ ଆସନ ରହିଛି। ମିଶାଇଲେ ହେଉଛି ୧୦୬ ଆସନ।ବହୁମତ ପାଇଁ ୧୧୮ ଦରକାର, ଅର୍ଥାତ୍ ଏହି ମେଣ୍ଟ ପାଖରେ ଆହୁରି ୧୨ଟି ସିଟ୍ ର ଅଭାବ ରହିଛି।ଅନ୍ୟପଟେ, ବିଜୟଙ୍କ ଦଳ TVK କଂଗ୍ରେସର ୫ ବିଧାୟକଙ୍କ ସମର୍ଥନରେ ୧୧୩ ସଂଖ୍ୟାରେ ପହଞ୍ଚିଥିଲେ ମଧ୍ୟ ବହୁମତ ପାଇଁ ଆହୁରି ୫ରୁ ୬ଟି ସିଟ୍ ଦରକାର ।
ଯଦି DMK ଏବଂ AIADMK ପ୍ରକୃତରେ ଏକାଠି ହୁଅନ୍ତି, ତେବେ ଏହା ତାମିଲନାଡୁ ଇତିହାସର ସବୁଠାରୁ ବଡ଼ ରାଜନୈତିକ ଘଟଣା ହେବ। କିନ୍ତୁ ଉଭୟ ପକ୍ଷରେ ସଂଖ୍ୟାର ଅଭାବ ଥିବାରୁ, ଏବେ ଛୋଟ ଦଳ ଓ ନିର୍ଦ୍ଦଳୀୟ ବିଧାୟକମାନେ 'କିଙ୍ଗମେକର୍' ସାଜିବେ।