କୋଲକାତା: ପଶ୍ଚିମବଙ୍ଗରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ସନ୍ଧ୍ୟାରେ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହକାରୀ (PA) ଚନ୍ଦ୍ରନାଥ ରଥଙ୍କୁ ଦୁର୍ବୃତ୍ତମାନେ ଦିନଦ୍ୱିପ୍ରହରରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମଧ୍ୟମଗ୍ରାମ ସ୍ଥିତ ଡୋହରିଆ ମୋଡ଼ରେ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ଚନ୍ଦ୍ରନାଥ ରଥ ନିଜ ଗାଡ଼ିରେ ଘରକୁ ଫେରୁଥିବା ସମୟରେ ବାଇକରେ ଆସିଥିବା ଦୁର୍ବୃତ୍ତମାନେ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ଏହାପରେ ସେମାନେ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ।
ଗୁଳି ଚନ୍ଦ୍ରନାଥଙ୍କ ଛାତିରେ ବାଜିଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ଏହି ଆକ୍ରମଣରେ ତାଙ୍କର ଜଣେ ସୁରକ୍ଷା କର୍ମୀ ଓ ଗାଡ଼ିରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରାଜନୈତିକ ଉଷ୍ମତା
ଚନ୍ଦ୍ରନାଥ ରଥ ଗତ ୫ ବର୍ଷ ଧରି ଶୁଭେନ୍ଦୁ ଅଧିକାରୀଙ୍କ ଅତି ବିଶ୍ୱସ୍ତ ଥିଲେ। ନିକଟରେ ଶେଷ ହୋଇଥିବା ନିର୍ବାଚନରେ ମଧ୍ୟ ସେ ପ୍ରଚାର କାର୍ଯ୍ୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିଲେ। ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଥିବା ସନ୍ଦେହ କରାଯାଉଛି। ବିଜେପି ପକ୍ଷରୁ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି।
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି। ଦୋଷୀଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିବା ସହ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଏହି ଘଟଣାଟି ପଶ୍ଚିମବଙ୍ଗର ସାମ୍ପ୍ରତିକ ରାଜନୈତିକ ହିଂସାର ଏକ ଭୟଙ୍କର ରୂପ ବୋଲି କୁହାଯାଉଛି।
Also Read: ବେଙ୍ଗଲରେ ଥରହର ପୂର୍ବତନ ଆଇଏଏସ୍ ଅଧିକାରୀ, ଜଣକ ପରେ ଜଣେ ଦେଉଛନ୍ତି ଇସ୍ତଫା