ମୁମ୍ବାଇ: ଯଦି ଆପଣ ୭ ମଇରେ ବା ଆସନ୍ତାକାଲି ମୁମ୍ବାଇରୁ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ କିଛି ଘଣ୍ଟା ପାଇଁ ପୂରାପୂରି ବନ୍ଦ ରହିବ।
ଏୟାରପୋର୍ଟ ପ୍ରଶାସନ ସୂଚନା ଅନୁସାରେ, ଆସନ୍ତାକାଲି (ଗୁରୁବାର) ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମୋଟ ୬ ଘଣ୍ଟା ଯାଏଁ ଦୁଇଟି ରନୱେ ୯/୨୯ ଓ ୧୪/୩୨ ବନ୍ଦ ରହିବ। ଏହି ସମୟରେ କୌଣସି ବିମାନ ଉଡାଣ କିମ୍ବା ଅବତରଣ କରିପାରିବ ନାହିଁ।
ଏହି ବନ୍ଦର ପଛରେ କାରଣ ହେଉଛି ପ୍ରି-ମନସୁନ୍ ମେଣ୍ଟେନାନ୍ସ। ବର୍ଷା ଋତୁ ପୂର୍ବରୁ ରନୱେକୁ ସୁରକ୍ଷିତ ଓ ଚାଳନଯୋଗ୍ୟ ରଖିବା ପାଇଁ ଏହି କାମ ଅତ୍ୟନ୍ତ ଆବଶ୍ୟକ। ଏୟାରସାଇଡ୍ ସୁବିଧାକୁ ଭଲ ସ୍ଥିତିରେ ରଖିବା ପାଇଁ ପ୍ରତିବର୍ଷ ଏହି ମେଣ୍ଟେନାନ୍ସ କରାଯାଏ।
ପ୍ରଶାସନ କହିଛି, ଏହି କାମ ସମ୍ପର୍କରେ ୬ ମାସ ପୂର୍ବରୁ ସମସ୍ତ ଏୟାରଲାଇନ୍ସକୁ ଜଣାଇ ଦିଆଯାଇଥିଲା, ଯାହା ଫଳରେ ସେମାନେ ନିଜର ଫ୍ଲାଇଟ୍ ସ୍କେଡ୍ୟୁଲ୍ ପୂର୍ବରୁ ପରିବର୍ତ୍ତନ କରିପାରିଛନ୍ତି। ଯାତ୍ରୀମାନେ ଅସୁବିଧାରେ ନ ପଡ଼ନ୍ତି ବୋଲି ଏହି ପ୍ରକ୍ରିୟାକୁ ଯଥାପୂର୍ବକ ପ୍ଲାନ୍ କରାଯାଇଛି। ଅଧୁନିକ ମେସିନ୍ ଓ ସ୍ପେଶାଲ୍ ଟିମ୍ ଦ୍ୱାରା କାମ କରାଯିବାରୁ ନିର୍ଦ୍ଧାରିତ ୬ ଘଣ୍ଟା ମଧ୍ୟରେ ମେଣ୍ଟେନାନ୍ସ ସମାପ୍ତ ହେବ ବୋଲି କୁହାଯାଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁମ୍ବାଇର ଏହି ଏୟାରପୋର୍ଟ ଭାରତର ଦ୍ବିତୀୟ ସବୁଠାରୁ ବ୍ୟସ୍ତବହୁଳ ଏୟାରପୋର୍ଟ। ପ୍ରତିଦିନ ଏଠାରୁ ୧୦୦୦ରୁ ଅଧିକ ଫ୍ଲାଇଟ୍ ଚାଲିଥାଏ ଓ ୨୦୨୪-୨୫ରେ ୫ କୋଟିରୁ ଅଧିକ ଯାତ୍ରୀ ଏଠାରୁ ଯାତ୍ରା କରିଛନ୍ତି। ସେହି ପରିସ୍ଥିତିରେ, ଯଦି ଆପଣଙ୍କର ଏହି ଦିନ ଫ୍ଲାଇଟ୍ ଅଛି, ତେବେ ପୂର୍ବରୁ ସମୟ ସୂଚୀ ଯାଞ୍ଚ କରି ଯାତ୍ରା ପ୍ଲାନ୍ କରିବା ଉଚିତ।