କୋଲକାତା: ଚଳିତ ପଶ୍ଚିମ ବଙ୍ଗ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବମ୍ପର୍ ମତଦାନ ଇତିହାସ ସୃଷ୍ଟି କରିଛି । ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାରେ ୧୫୨ଟି ଆସନରେ ୯୨.୯୮ ପ୍ରତିଶତ ପ୍ରତିଶତ ମତଦାନ ହୋଇଛି । ଲୋକେ ଭୟରୁ ଭରସାର ଯେଉଁ ଯାତ୍ରା କରିଛନ୍ତି ସେଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କୃତଜ୍ଞତା ଜ୍ଞାପନ କରିଛନ୍ତି । ଖାଲି ସେତିକି ନୁହେଁ ପ୍ରଥମ ଥର ପାଇଁ କାହାରି ମୃତ୍ୟୁ ହୋଇନାହିଁ । ଏଥିପାଇଁ ସୁରକ୍ଷା ନିୟୋଜିତ ଥିବା ପୋଲିସ ଠାରୁ ଆରମ୍ଭ କରି ସମସ୍ତ ସୁରକ୍ଷାକର୍ମୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
ପଶ୍ଚିମବଙ୍ଗରେ ହୋଇଥିବା ଐତିହାସିକ ମତଦାନ ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଆଜି ସାମ୍ବାଦିକ ସମ୍ମିଳନୀ କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ଧନ୍ୟବାଦ ଜଣାଇଛନ୍ତି । ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଲୋକ ଭୟରୁ ବାହାରି ଭରସା ପାଇଁ ଏହି ଯାତ୍ରାକୁ ଜାରି ରଖିବେ ବୋଲି ସେ ଆଶା ରଖିଛନ୍ତି । ଖାଲି ସେତିକି ନୁହେଁ କେହି ବି ମୃତାହତ ଏପର୍ଯ୍ୟନ୍ତ ହୋଇନାହାଁନ୍ତି ।
ସେ କହିଛନ୍ତି ପଶ୍ଚିମବଙ୍ଗ ଜନତା ପ୍ରଥମ ପର୍ଯ୍ୟାୟରେ ସେମାନେ ତାଙ୍କର ନିଷ୍ପତ୍ତି ଜଣାଇଦେଇଛନ୍ତି । ଜନତା ଏବେ ପରିବର୍ତ୍ତନ ଚାହୁଁଛନ୍ତି । ଏଥିରୁ ଜଣାପଡ଼ିଛି ଯେ ରାଜ୍ୟରେ ଦିଦି ଯିବେ ବିଜେପି ଆସିବ, ଭୟ ଯିବ ଭରସା ଆସିବ । ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନରୁ ୧୧୦ଟି ଆସନରେ ବିଜେପି ବିଜୟ ହାସଲ କରିବ । ଦ୍ୱିତୀୟ ପର୍ଯ୍ୟାୟକୁ ମିଶାଇ ବିଜେପି ପ୍ରଚଣ୍ଡ ବହୁମତରେ ବିଜୟ ହାସଲ କରି ସରକାର ଗଢ଼ିବ ବୋଲି ଶାହ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ତେବେ ଚଳିତ ନିର୍ବାଚନରେ ସେଭଳି ଆଖିଦୃଶିଆ ହିଂସାକାଣ୍ଡ ଘଟି ନାହିଁ । କେନ୍ଦ୍ରମନ୍ତ୍ରୀ ବିଗତ ନିର୍ବାଚନରେ ଘଟିଥିବା ହିଂସା ଘଟଣାର ବିବରଣୀ ଦେଇଛନ୍ତି । ରିପୋର୍ଟ ମୁତାବକ, ୨୦୧୬ ନିର୍ବାଚନରେ ୧୨୭୮, ୨୦୨୧ ମସିହାରେ ୧୬୮୧ ଜଣ, ୨୦୨୩ ପଞ୍ଚାୟତ ନିର୍ବାଚନରେ ୬୬୪ ଏବଂ ୨୦୨୪ ସାଧାରଣ ନିର୍ବାଚନରେ ୭୬୧ ଜଣ ଆହତ ହୋଇଥିଲେ । କିନ୍ତୁ ଏହାର ତୁଳନାରେ ଚଳିତ ନିର୍ବାଚନରେ ଏପର୍ଯ୍ୟନ୍ତ ମାତ୍ର ୩୦ ଜଣ ଆହତ ହୋଇଛନ୍ତି ଏବଂ ଗୋଟିଏ ବି ମୃତାହତ ଖବର ଆସିନାହିଁ ।
ଆସନ୍ତା ୫ ତାରିଖ ପରେ ଅଙ୍ଗ, ବଙ୍ଗ, କଳିଙ୍ଗରେ ବିଜେପି ଶାସନ କରିବ । ଫଳରେ ପୂର୍ବ ଭାରତର ବିକାଶର ଗତି ତୀବ୍ରତାର ସହିତ ଆଗକୁ ବଢ଼ିବ । ସେହିପରି ଅମିତ ଶାହ ମମତାଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ବଙ୍ଗର ଯିଏ ମୁଖ୍ୟମନ୍ତ୍ରୀ ହେବେ ସେ ବଙ୍ଗରେ ଜନ୍ମ ଏବଂ ବଙ୍ଗାଳୀରେ ପଢ଼ିଛନ୍ତି କିନ୍ତୁ ସେ ଦିଦିଙ୍କ ପୁତୁରା ନୁହେଁ । ବିଜେପି ଆସିବା ପରେ ମହିଳା ସୁରକ୍ଷାର ଗ୍ୟାରେଣ୍ଟି ଦେଇଛନ୍ତି ଶାହ । ପଶ୍ଚିମବଙ୍ଗରେ ସମସ୍ତ ପ୍ରକାର ବିକାଶ ହେବେ । ସମସ୍ତ ଧାର୍ମିକ କାମ ଅବାଧରେ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶାହ । ତେଣୁ ମୁକ୍ତ ହୋଇ ନିଜ ଇଚ୍ଛାରେ ସୁନାର ବଙ୍ଗଳା ପାଇଁ ମତଦାନ କରିବାକୁ ସେ ସମସ୍ତ ମତଦାତାଙ୍କୁ ଆହ୍ୱାନ କରିଛନ୍ତି ।