ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡର ପୁର୍ନଗଠନ କରିଛନ୍ତି । ଦୁଇ ତଳେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇ ନୂତନ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ପଦବୀରେ ପରିବର୍ତ୍ତନ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ସ୍ଥାନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଏହି ବୋର୍ଡର ଅଧ୍ୟକ୍ଷ ରହିବେ । ସେହିପରି ମୁଖ୍ୟ ଶାସନ ସଚିବ ଏହାର ଉପାଧ୍ୟକ୍ଷ ଦାୟିତ୍ୱ ତୁଲାଇବେ । ସେହିପରି ଏସଏସପିଇଡି ବିଭାଗ ନିର୍ଦ୍ଦେଶକ ସମ୍ପାଦକ ରହିବେ ।
ତୃତୀୟ ଲିଙ୍ଗ ସମୁଦାୟଙ୍କ ସୁରକ୍ଷା, ଅଧିକାର ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ସରକାର ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡର ପୁର୍ନଗଠନ କରିଛନ୍ତି । ପୁନଃଗଠିତ ହୋଇଥିବା ଟ୍ରାନ୍ସଜେଣ୍ଡର ବୋର୍ଡରେ ମୋଟ ୧୨ ଜଣ ସଦସ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅଧ୍ୟକ୍ଷ, ଜଣେ ଉପାଧ୍ୟକ୍ଷ, ଜଣେ ସମ୍ପାଦକ ଏବଂ ଅନ୍ୟ 9 ଜଣ ସଦସ୍ୟ ରହିବେ । ଆରକ୍ଷୀ ମହାନିର୍ଦ୍ଦେଶକ (DGP), ଏସଏସପିଇଡି ବିଭାଗ ଅତରିକ୍ତ ସଚିବ, ମହିଳା ଓ ଶିଶୁ କଲ୍ୟାଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପଞ୍ଚାୟତ ରାଜ, ଗୃହ ଓ ନଗର ଉନ୍ନୟନ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପ୍ରତିନିଧିମାନେ ସଦସ୍ୟ ରହିଛନ୍ତି ।
ସୂଚନା ଯୋଗ୍ୟ ଯେ, ୨୦୨୫ ମସିହା ମେ' ୧୫ ତାରିଖରେ ଟ୍ରାନ୍ସଜେଣ୍ଡର୍ କଲ୍ୟାଣ ବୋର୍ଡ ଗଠନ କରାଯାଇଥିଲା । ଏହାର କାର୍ଯ୍ୟକାଳ ତିନି ବର୍ଷ ରହିଥିଲା । ବୋର୍ଡର ଅଧ୍ୟକ୍ଷ ବିଭାଗୀୟ ମନ୍ତ୍ରୀ ଥିଲେ । କିନ୍ତୁ ମାତ୍ର ଗୋଟିଏ ବର୍ଷ ଭିତରେ ବୋର୍ଡର ପୁର୍ନଗଠନ କରାଯାଇଛି ଏପ୍ରିଲ 21ରେ, ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡର ପୁନର୍ଗଠନ ହୋଇଥିଲା । ସେଥିରେ ମୁଖ୍ୟ ଶାସନ ସଚିବ ବୋର୍ଡର ଅଧ୍ୟକ୍ଷ ରହିଥିଲେ । ରାଜ୍ୟ ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ସଚିବ ଏହାର ଉପାଧ୍ୟକ୍ଷ ରହିଥିଲେ ।