ଭୁବନେଶ୍ୱର: ଦିନକୁ ଦିନ ଅଣାୟତ ହେଲାଣି ତାତି। ମେ ମାସ ଆରମ୍ଭ ନ ହେଉନୁ ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ତେବେ ଅସହ୍ୟ ଗରମ ଓ ଗୁଳିଗୁଳିରେ ଅସ୍ତବ୍ୟସ୍ତ ହେଲାଣି ଜୀବନ। ସକାଳ ୮ ଟାରୁ ଅନୁଭୂତ ହେଉଛି ଟାଣ ଖରା। ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଅନବରତ ବଢୁଛି ତାପମାତ୍ରା। ଏପରିକି ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ରୂପେ ପରିଗଣିତ ହେଉଛି।
ଆରଏମସିର ସୂଚନା ଅନୁଯାୟୀ ପ୍ରଚଳିତ ପାଗ ଢାଞ୍ଚା ଯୋଗୁଁ ଦିନର ତାପମାତ୍ରା ବୃଦ୍ଧି ପାଇଛି। ଏହାସହିତ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗ୍ରୀଷ୍ମ ଋତୁର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ହେବାର ପୂର୍ବାନୁମାନ କରାଯାଉଛି। ରାସ୍ତା ଘାଟ ଶୂନ୍ୟ ପଡ଼ିଥିବା ବେଳେ, ଠଣ୍ଡା ପାଣି ଓ ଛାୟା ପାଇଁ ଲୋକମାନେ ଆଉଟୁପାଉଟୁ ହେଉଛନ୍ତି।
ତେବେ ଅସହ୍ୟ ତାତୀକୁ ଦୃଷ୍ଟିରେ ରଖି ଅଂଶୁଘାତର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ଏହାସହିତ ରାସ୍ତାର ପ୍ରତ୍ୟକଟି ଛକରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି। ଏତିକି ଦିନରେ ଶ୍ରମିକ ମାନଙ୍କୁ କାମ କରିବା ପାଇଁ ମଧ୍ୟ ବାରଣ କରାଯାଇଛି। ଯଦି କେହି ଠିକାଦାର ଶ୍ରମିକଙ୍କୁ କାମ କରିବାକୁ ବାଧ୍ୟ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଜାରି କରିଛି।