ଗଞ୍ଜାମ: ଦକ୍ଷିଣ ଓଡ଼ିଶାରେ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ। ବ୍ରହ୍ମପୁରବାସୀଙ୍କ ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ଏବେ ଆଧୁନିକ ରୂପ ନେବ ବ୍ରହ୍ମପୁର ରେଳଷ୍ଟେସନ। ପ୍ରାୟ ୩୦୦ କୋଟି ଟଙ୍କାର ବୃହତ୍ ପୁନର୍ବିକାଶ ଯୋଜନା ସହ, ଏହି ବ୍ୟସ୍ତ ରେଳ ହବ୍ଟି ସ୍ମାର୍ଟ ଏବଂ ସୁବିଧାସମ୍ପନ୍ନ ଯାତ୍ରାର ନୂଆ ପରିଚୟ ପାଲଟିବ।
ପ୍ରତିଦିନ ୧୬୦ରୁ ଅଧିକ ଟ୍ରେନ୍ ଚଳାଚଳ ଓ ୨୫ ହଜାରରୁ ଅଧିକ ଯାତ୍ରୀଙ୍କ ଯାତାୟାତ ସହ, ବ୍ରହ୍ମପୁର ଷ୍ଟେସନ ଦକ୍ଷିଣ ଓଡ଼ିଶାର ଜୀବନରେଖା। ଏହି ଗୁରୁତ୍ୱକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ଏହାକୁ ଦେଉଛି ଏକ ନୂଆ ଚେହେରା। ଯୋଜନା ଅନୁସାରେ, ୩ଟି ନୂତନ ରେଳ ଲାଇନ ଓ ୪ଟି ଅତିରିକ୍ତ ପ୍ଲାଟଫର୍ମ ନିର୍ମାଣ ହେବ, ଯାହା ଟ୍ରେନ୍ ଚଳାଚଳକୁ ଅଧିକ ସୁଗମ କରିବ।
କେବଳ ଏତିକି ନୁହେଁ, ଯାତ୍ରୀମାନଙ୍କ ସୁବିଧାକୁ ମଧ୍ୟ ଦିଆଯାଇଛି ପ୍ରାଥମିକତା। ନୂତନ ଏଲିଭେଟେଡ୍ କନେକ୍ଟିଭିଟି, ବିସ୍ତାରିତ ଫୁଟ୍ ଓଭର ବ୍ରିଜ୍, ଲିଫ୍ଟ ଓ ଏସ୍କାଲେଟର ସହ ଷ୍ଟେସନ ହେବ ‘ସୁଗମ୍ୟ’। ଦିବ୍ୟାଙ୍ଗମାନଙ୍କ ପାଇଁ ଟ୍ୟାକ୍ଟାଇଲ୍ ପାଥୱେ ଓ ବାଧାମୁକ୍ତ ଯାତାୟାତ ବ୍ୟବସ୍ଥା ଏହାକୁ ଆହୁରି ସାମାଜିକ ଭାବେ ସମାନ କରିବ।
ସେହିପରି ଭିଡ଼ ହ୍ରାସ ପାଇଁ ଦୁଇ ପାର୍ଶ୍ୱରେ ଡବଲ୍ ଏଣ୍ଟ୍ରି ସିଷ୍ଟମ୍ ଗଢ଼ାଯିବ। ଏଥିସହିତ ରାସ୍ତା ପ୍ରଶସ୍ତୀକରଣ, ସୌନ୍ଦର୍ଯ୍ୟକରଣ ଓ ଆଧୁନିକ ସର୍କୁଲେଟିଂ ଏରିଆ ନିର୍ମାଣ ହେଉଛି। ‘କୁଇକ୍ ୱାଟରିଂ ସିଷ୍ଟମ୍’ ଦ୍ୱାରା ଟ୍ରେନ୍ ସେବା ହେବ ଅଧିକ ତ୍ୱରିତ, ଯାହା ଟର୍ଣ୍ଣାଉରାଉଣ୍ଡ ସମୟ କମେଇବ।
ସ୍ମାର୍ଟ ଷ୍ଟେସନ ଭାବେ ଏଠାରେ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ ଯେପରିକି ସିସିଟିଭି ନିରୀକ୍ଷଣ , ପ୍ରବେଶ ନିୟନ୍ତ୍ରଣ ବ୍ୟବସ୍ଥା (access control systems) ଏବଂ ବ୍ୟାଗେଜ୍ ସ୍କାନର, ଉନ୍ନତ ଯାତ୍ରୀ ସୂଚନା ପ୍ରଣାଳୀ ସହ ସିଗନାଲିଂ ବ୍ୟବସ୍ଥା ସହିତ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ବହୁଭାଷୀ ସୂଚନା ଫଳକ ଇତ୍ୟାଦି।ଏହି ପୁନର୍ବିକାଶ କେବଳ ଏକ ଷ୍ଟେସନର ନୂଆ ରୂପ ନୁହେଁ, ଏହା ବ୍ରହ୍ମପୁର ଓ ସମଗ୍ର ଦକ୍ଷିଣ ଓଡ଼ିଶାର ଭବିଷ୍ୟତ ଯାତାୟାତକୁ ନୂଆ ଦିଗ ଦେବ।