ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଧର୍ମାନ୍ତୀକରଣର ଏକ କରୁଣ ଦୃଶ୍ୟ ଆସିଛି । ଝିଅ ଖ୍ରୀଷ୍ଟ ଧର୍ମ ଗ୍ରହଣ ନ କରିବାରୁ ଅକଥନୀୟ ନିର୍ଯ୍ୟାତନା ଦେଉଛି ପରିବାର । ବାପା, ଭାଇ, ଭାଉଜ ମିଳିମିଶି ମାଡ଼ ମାରିବା ସହିତ ଘରୁ ଝିଅକୁ ବେଦେଖଲ କରିଦେଇଛନ୍ତି । ଏ ନେଇ ଝିଅ ଏବେ ନ୍ୟାୟ ଆଶାରେ ଥାନାର ଦ୍ୱାରସ୍ଥ ହୋଇଛି । ରଥ ନାୟକଙ୍କ ଝିଅ ବୀଣାପାଣି ନାୟକ କାମାକ୍ଷାନଗର ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ମୁତାବକ, ରଥ ନାଏକଙ୍କ ସମସ୍ତ ପରିବାର ସଦସ୍ୟ ଖ୍ରୀଷ୍ଟ ଧର୍ମକୁ ଧର୍ମାନ୍ତକରଣ ହୋଇଯାଇଛନ୍ତି । କିନ୍ତୁ ଝିଅ ବୀଣାପାଣି ଖ୍ରୀଷ୍ଟ ଧର୍ମ ଗ୍ରହଣ କରିନାହାଁନ୍ତି । ପ୍ରତ୍ୟେକ ମାସରେ ପ୍ରାର୍ଥନା ସଭା ହେଉଥିବାବେଳେ ଝିଅ ଯୋଗ ନଦେବାରୁ ପ୍ରାୟ ଏକ ବର୍ଷ ହେବ ତାକୁ ଅଲଗା କରିଦେଇଛନ୍ତି । କିନ୍ତୁ ଗତକାଲି ଏହା ଆହୁରି ଉଗ୍ରରୂପ ଧାରଣ କରିଥିଲା । ପୁରା ପରିବାର ମିଶି ଝିଅକୁ ମାଡ଼ ମାରିଥିଲେ । ବାପା ରଥ ନାଏକ, ଭାଇ ବାଦଲ ନାଏକ ଏବଂ ଭାଉଜ ଝୁନୁ ନାଏକ ଅକଥନୀୟ ନିର୍ଯ୍ୟାତନା ଦେବା ସହିତ ତାଙ୍କ ଜିନିଷପତ୍ର ପୋଫାଡ଼ି ଘରୁ ବାହାରି ଯିବାକୁ କହିଥିଲେ ।
ଶେଷରେ କିଛି ଉପାୟ ନ ପାଇ ବୀଣାପାଣି ଆଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କୁ ସୁରକ୍ଷା ଦେବାକୁ ସେ କାନ୍ଦି କାନ୍ଦି ଗୁହାରୀ କରିଛନ୍ତି ।