ଢେଙ୍କାନାଳ: ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ଜଳୁଛି ସାରା ଓଡ଼ିଶା। ଏହି ଅସହ୍ୟ ତାତି ମଧ୍ୟରେ ଆସିଛି ଏକ ହୃଦୟ ବିଦାରକ ଖବର। ଅଂଶୁଘାତରେ ପ୍ରାଣ ହରାଇଛନ୍ତି ଢେଙ୍କାନାଳ ସାମ୍ବାଦିକ ଅମରେନ୍ଦ୍ର ଦାସ।
ସମ୍ବାଦ ସଂଗ୍ରହ କରି ଘରକୁ ଫେରିବା ପରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ, ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇଛି। ଅମରେନ୍ଦ୍ରଙ୍କ ମୃତ୍ୟୁ ଖବର ପାଇ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ହସ୍ପିଟାଲରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ସେହିପରି ଗତ ଦୁଇ ଦିନ ତଳେ ଜନଗଣନା କାମରେ ବାହାରିଥିବା ବେଳେ ଅଂଶୁଘାତରେ ଜୀବନ ହାରିଥିଲେ ଶିକ୍ଷକ ବଂଶୀଧର ଭୋଇ। ସୁବର୍ଣ୍ଣପୁର ଜିଲ୍ଲାର ଏହି ଶିକ୍ଷକ ମଧ୍ୟ ଘରକୁ ଫେରିବା ପରେ ଅସୁସ୍ଥ ହୋଇପଡିଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।
ଅନ୍ୟପଟେ, ରାଜ୍ୟରେ ତାତିର ପ୍ରକୋପ ଦିନକୁ ଦିନ ବଢ଼ୁଛି। ପଶ୍ଚିମ ଓଡ଼ିଶାରୁ ଉପକୂଳ ପର୍ଯ୍ୟନ୍ତ ଲୋକେ ସନ୍ତୁଳି ହେଉଛନ୍ତି। ସକାଳ ୧୦ ପରେ ରାସ୍ତାଘାଟ ଶୂନଶାନ ମନେ ହେଉଛି। ଦିନକୁ ଦିନ ଜନଜୀବନ ଉପରେ ଲାଗିଛି ଅଘୋଷିତ କର୍ଫ୍ୟୁ। ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର, କେନ୍ଦୁଝର, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ବଲାଙ୍ଗୀର, ସମ୍ବଲପୁର ଓ କନ୍ଧମାଳରେ ଦିନ ସହ ରାତିରେ ମଧ୍ୟ ତାପମାତ୍ରା ଉତ୍ତପ୍ତ ରହୁଛି। ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି।