ନୂଆଦିଲ୍ଲୀ: ଜାତିଆଣ ଭେଦଭାବକୁ ନେଇ ଓଡ଼ିଶା ହାଇକୋର୍ଟ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ । ‘ଦଳିତମାନଙ୍କୁ ଥାନା ସଫା କରିବା’ ଭଳି ଦଣ୍ଡ ନିୟମ ରଖିବାକୁ ନେଇ ଓଡ଼ିଶା ହାଇକୋର୍ଟକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନାର ସାମନା କରିବାକୁ ପଡ଼ିଛି । ସୁପ୍ରିମକୋର୍ଟ ହାଇକୋର୍ଟ ଏବଂ ଅନ୍ୟ ଅଦାଲତଙ୍କ ଦ୍ୱାରା ପାରିତ ଏହି ଆଦେଶକୁ ଖାରଜ କରିଛନ୍ତି ।
ଓଡ଼ିଶା ହାଇକୋର୍ଟ ଦଳିତଙ୍କ ଜାମିନ ବଦଳରେ “ଥାନା ସଫା କରିବା” ଭଳି ଅଜବ ଦଣ୍ଡବିଧାନ ସର୍ତ୍ତ ସମ୍ପର୍କରେ ସୁପ୍ରିମକୋର୍ଟ ଗଣମାଧ୍ୟମରୁ ଅବଗତ ହେବା ପରେ ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ । ସୁପ୍ରିମକୋର୍ଟ ଏହାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟା ବାଗଚୀଙ୍କ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରି ଏହି ସର୍ତ୍ତ ମାନବାଧିକାରର ଉଲ୍ଲଂଘନ ଏବଂ ବ୍ୟକ୍ତିଙ୍କ ସମ୍ମାନ ଉପରେ ଶକ୍ତ ପ୍ରହାର ବୋଲି କହିଛନ୍ତି । ସମାଜର ତଳ ଶ୍ରେଣୀରେ ଥିବା ଲୋକଙ୍କ ପ୍ରତି ନ୍ୟାୟପାଳିକା ଭିତରେ ଲୁଚି ରହିଥିବା ଜାତିଗତ ଭେଦଭାବ ମନୋବୃତ୍ତିକୁ ଦର୍ଶାଉଛି ବୋଲି କହିଛନ୍ତି ଖଣ୍ଡପୀଠ । ଯେଉଁମାନଙ୍କ ପାଖରେ ଅର୍ଥ ବଳ ଅଛି ଏବଂ ଯେଉଁମାନେ ଧନୀ ଶ୍ରେଣୀର ଲୋକେ ସେମାନଙ୍କ ପ୍ରତି ଏଭଳି ସର୍ତ୍ତି କାହିଁକି ଲାଗୁ କରାଯାଉ ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଏଭଳି ସର୍ତ୍ତ ଓଡ଼ିଶା ହାଇକୋର୍ଟଙ୍କୁ ଜାତି-ଆଧାରିତ ବୋଲି ପ୍ରମାଣିତ କରିପାରେ ।
ପ୍ରଧାନ ବିଚାରପତି କହିଛନ୍ତି ଯେ ଆମ ସମ୍ବିଧାନ ଲୋକଙ୍କୁ ସବୁଠାରୁ ମୂଲ୍ୟବାନ ଉପହାର ଦେଇଛି, ତାହା ହେଉଛି ଜାତିବିହୀନ ସମାଜ ଏବଂ ସମାନତା । ଏହାର ରକ୍ଷା କରିବା ନ୍ୟାୟପାଳିକାର ଅଧିକାରର ରକ୍ଷା କରିବାର ବିଶ୍ୱାସ ରହିଛି । ୨୦୨୬ରେ ଅଦାଲତଙ୍କ ଏଭଳି ଟିପ୍ପଣୀ କଦାପି ଗ୍ରହଣୀୟ ନୁହେଁ । ଏହି ଆଦେଶ ନ୍ୟାୟପାଳିକାର ଛବିକୁ ମଳିନ କରୁଛି ।
ଉଲ୍ଲେଖ ଯୋଗ୍ୟ, ଓଡ଼ିଶାର ଅନେକ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ଯେ ରାଜ୍ୟର ଅନେକ ଅଦାଲତ ଏବଂ ଓଡ଼ିଶା ହାଇକୋର୍ଟରେ ଜାମିନ ପାଇଁ ଅଜବ ସର୍ତ୍ତ ରଖାଯାଉଛି । ବିଶେଷ କରି ଦଳିତ ମାନଙ୍କ ପାଇଁ ଏଭଳି ସର୍ତ୍ତ ରହିଛି । ଖଣି ବିରୋଧରେ ଲଢ଼ୁଥିବା ଦଳିତ ଏବଂ ଆଦିବାସୀଙ୍କ ଜାମିନ ପାଇଁ ୨ ମାସ ଯାଏ ଥାନା ଧୋଇବାକୁ ସର୍ତ୍ତ ରଖାଯାଇଛି । ଗତ ୬ ମାସ ମଧ୍ୟରେ ଏଭଳି ୫୦ଟି ମାମଲାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
୨୮ ମଇ, ୨୦୨୫ ତାରିଖରେ ଓଡ଼ିଶା ହାଇକୋର୍ଟଙ୍କ ଏକ ନିର୍ଦ୍ଦିଷ୍ଟ ଆଦେଶରେ ଜଣେ ଆବେଦନକାରୀଙ୍କୁ ଦୁଇ ମାସ ପାଇଁ ପ୍ରତିଦିନ ସକାଳ ୬ଟାରୁ ୯ଟା ମଧ୍ୟରେ କାଶୀପୁର ଥାନା ପରିସର ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟର ବିଭିନ୍ନ ଟ୍ରାଏଲ୍ କୋର୍ଟରୁ ଅନ୍ୟ ସାତଟି ଆଦେଶରେ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା।