ଭୁବନେଶ୍ୱର: ଭୁବନେଶ୍ଵରରେ ଏକ ଘରୋଇ ଇଞ୍ଜନିୟରିଂ କଲେଜ ଛାତ୍ରାବାସରୁ ଜଣେ ବିଟେକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି । ସେ ନିଜ ଗାମୁଛା ବେକରେ ବାନ୍ଧି ଜୀବନ ହାରିଛନ୍ତି । ମୃତ ଛାତ୍ର ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲାର ବିଶ୍ୱାସ ସ୍ୱାଇଁ।
ଅନ୍ୟପକ୍ଷେ ପରିବାର ଲୋକେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ପୁଅକୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା କହିଛନ୍ତି ବିଶ୍ୱାସଙ୍କ ବାପା ଏବଂ ମାଆ । ବିଶ୍ୱାସଙ୍କ ମାଆ କହିଛନ୍ତି ଯେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା । ଗତ ଦୁଇ ଦିନ ହେବ ସେ ହଷ୍ଟେଲରେ କିଛି ଖାଉନଥିଲେ । ବାହାରୁ ଖାଦ୍ୟ କିଣିକି ଖାଉଥିଲେ । ବେଳେବେଳେ ଛତୁଆ ମଧ୍ୟ ଖାଇକି ରହିଯାଉଥିଲା ।
ସେପଟେ ବିଶ୍ୱାସଙ୍କ ମୃତ୍ୟୁ ପରେ ଛାତ୍ରାବାସରେ ଛାତ୍ର ଅସନ୍ତୋଷ ଦେଖାଦେଇଛି । ସାଙ୍ଗମାନେ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ବିଶ୍ୱାସଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି କହିଛନ୍ତି । ରାତିତମାନ ଛାତ୍ରମାନେ କଲେଜ ଗେଟ୍ ସମ୍ମୁଖରେ ନାରାବାଜି କରିଛନ୍ତି । ଇନ୍ଫୋସିଟି ଥାନା ପୋଲିସ ଏବଂ ଜୋନ୍-୬ ଏସିପି ପହଞ୍ଚି ଛାତ୍ରମାନଙ୍କୁ ବୁଝାସୁଝା କରିଥିଲେ । ଏହା ପରେ ଭୁବନେଶ୍ୱର ଡିସିପି ନିଜେ ଆସି ପହଁଚିଥିଲେ । ଉତ୍ତେଜନା ପରିସ୍ଥିତିକୁ ଦେଖି ୨ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
କଲେଜରେ ପରିବାର ଲୋକେ ପହଁଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୁଅର ମୃତ ଦେହ ଦେଖିବା ପରେ ଆତ୍ମହରା ହୋଇପଡ଼ିଛନ୍ତି ବାପା ମାଆ । ପୋଲିସ ମୃତ ଦେହକୁ ଜବତ କରିଥିବାବେଳେ ବିଶ୍ୱାସ ସହପାଠୀ ଏବଂ ଉପର ଛାତ୍ରମାନଙ୍କୁ ପଚରାଉଚରା ଆରମ୍ଭ କରିଛି । ଏହା ସହିତ ଶବ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ ।