ଗଞ୍ଜାମ: ଗଞ୍ଜାମର ବ୍ରହ୍ମପୁରରେ ଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଏବେ ଏହି ଘଟଣାରେ ଅଭିଯୁକ୍ତ ସୂର୍ଯ୍ୟପ୍ରତାପ ସିଂଙ୍କର DNA ଟେଷ୍ଟ ହେବ, ଯାହା ମାମଲାର ତଦନ୍ତକୁ ଆଉ ଏକ ଗତି ଦେବ ବୋଲି ଆଶା କରାଯାଉଛି। DNA ପରୀକ୍ଷା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲର FMTରେ ପହଞ୍ଚିଛନ୍ତି। ସେହିପରି ହତ୍ୟାରେ ବ୍ୟବହୃତ ବାଡ଼ିକୁ ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି।
ଅନ୍ୟପଟେ ଏହି ମାମଲାରେ ଗିରଫଦାରୀର ସଂଖ୍ୟା ବି ବଢିପାରେ। କାରଣ ପୋଲିସ ସ୍କାନରରେ ଏବେ ପରିବାରର ଅନ୍ୟ ସଦସ୍ୟ ରହିଛନ୍ତି। ସୁଧୀରଙ୍କ ଝିଆରୀ ନିବେଦିତା ପାତ୍ର ଓ ପୁତୁରା ତୁଷାର ପାତ୍ରଙ୍କୁ ନେଇ ଜେରା ଚାଲିଥିବା ବେଳେ, ଆଉ କିଛି ଲୋକଙ୍କ ଗିରଫ ହେବାର ସମ୍ଭାବନା ବଢ଼ିଛି।
ଗତକାଲି ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଘାଣ୍ଟିଛି ଗୋପାଳପୁର ପୋଲିସ। ଝିଆରୀ ନିବେଦିତା ପାତ୍ର, ପୁତୁରା ତୁଷାର ପାତ୍ର ଓ କାଳୁ ପ୍ରଧାନ, ସୂର୍ଯ୍ୟ ପ୍ରତାପ ସିଂଙ୍କୁ ପୋଲିସ ରିମାଣ୍ଡରେ ନେଇ ଜେରା କରିଛି। ପ୍ରଥମେ ଅଲଗା ଅଲଗା ଜେରା କରାଯିବା ପରେ ୪ ଜଣଙ୍କୁ ମୁହଁମୁହିଁ ଜେରା କରାଯାଇଥିବା ସୂଚନା ମିଳିଛି।
ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଝିଆରୀ ଓ ପୁତୁରାଙ୍କ ଠାରୁ ପୋଲିସ ବହୁ ତଥ୍ୟ ବାହାର କରିବ। ସେପଟେ ଗତକାଲି ଗଞ୍ଜାମ ଏସପି ଏହି ଘଟଣାରେ ଅନ୍ୟ ପରିବାର ସଦସ୍ୟ ବି ରହିଥିବା ନେଇ ସୂଚନା ଦେଇଛନ୍ତି। ଏହି ହତ୍ୟା ମାମଲା ଆଗକୁ ଆଉ କେତେ ସତ୍ୟ ଖୋଲିବ, ସେଥିପାଇଁ ସମସ୍ତଙ୍କ ନଜର ଏବେ ପୋଲିସ ତଦନ୍ତ ଉପରେ ରହିଛି।
ଅଧିକ ପଢନ୍ତୁ: ସୁଧୀର ହତ୍ୟାକାଣ୍ଡରେ ସାଂଘାତିକ ଖୁଲାସା; ପୋଷ୍ଟମର୍ଟମ ରିପୋର୍ଟରୁ ସାମ୍ନାକୁ ଆସିଲା ଭୟଙ୍କର ସତ୍ୟ