ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ବାଉଁଶଗାଡ଼ିଆ ଜଙ୍ଗଲରେ ପଥର ଖୋଲ ଭିତରେ ଫସିଥିବା ନାବାଳକ ଉଦ୍ଧାର ହୋଇଛନ୍ତି । ଦୀର୍ଘ ୯ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନାବାଳକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ନାବାଳକକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବଡ଼ ପଥର ଖଣ୍ଡ ଏବଂ ବିଷଧର ଅଜଗର ସାପ ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିବା ବୋଲି କହିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।
ଆଜି ଓଡ଼ଗାଁ ବାଉଁଶଗାଡ଼ିଆର ଜଣେ ନାବାଳକ ଶିବ ପ୍ରଧାନ ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଯାଇଥିବାବେଳେ ଅସାବଧାନତା ବଶତଃ ସେ ଏକ ପଥର ସନ୍ଧି ଭିତରେ ଫସିଯାଇଥିଲେ । ପ୍ରାୟ ସକାଳ ୭ଟା ସମୟରେ ଘଟଣାଟି ଘଟିଥିଲା । ଏହା ପରେ ପ୍ରାୟ ସକାଳ ୧୦ଟା ସମୟରେ ଏ ନେଇ ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ବହୁତ ବଡ଼ ପଥର ଖଣ୍ଡ ହୋଇଥିବାରୁ ନାବାଳକକୁ ସୁରକ୍ଷିତ ବାହାର କରିବା ଉଦ୍ଧାରକାରୀ ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ନୟାଗଡ଼ ଏବଂ ଓଡ଼ଗାଁର ଚାରୋଟି ଟିମ୍ ଉଦ୍ଧାର ଆରମ୍ଭ କରିଥିଲେ । କିନ୍ତୁ ମହୁ ମାଛି, ଅଜଗର ସାପ ଏବଂ ବଡ଼ ପଥର ଖଣ୍ଡ ବାଧା ସୃଷ୍ଟି କରିଥିଲା ।
ଶେଷରେ ଭୁବନେଶ୍ୱରରୁ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଷ୍ଟ୍ରାଇକିଂ ଫୋର୍ସ ଭୁବନେଶ୍ୱର ଯାଇଥିଲେ । ସେମାନେ ଅତ୍ୟାଧୁନିକ ହାଇଡ୍ରୋଲିକ୍ କଟର୍, ଲିଫ୍ଟିଂ ବ୍ୟାଗ୍ ଯନ୍ତ୍ର ନେଇ ପହଁଚିଥିଲେ । ମଝିରେ ମଝିରେ ପାଣି ପିଇବାକୁ ମଧ୍ୟ ଦିଆଯାଉଥିଲା । ଲିଫ୍ଟିଂ ମେସିନ ସାହାଯ୍ୟରେ ପଥର ଖଣ୍ଡ ଉଠାଇ ରଖାଯିବା ପରେ ଶେଷରେ ସନ୍ଧ୍ୟା ୪ଟା ପରେ ନାବାଳକକୁ ଉଦ୍ଧାର କରାଯାଇଛି । ନାବାଳକୁ ଉଦ୍ଧାର କରାଯିବା ପରେ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ପରେ ତାକୁ ପରିବାର ଲୋକଙ୍କୁ ସ୍ଥାନାନ୍ତର କରାଯିବ ।
ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । ଉଦ୍ଧାର କାର୍ଯ୍ୟ ବହୁତ ଚ୍ୟାଲେଞ୍ଜିଂ ଥିଲା । ଅନେକ ପ୍ରତିକୂଳ ସ୍ଥିତି ସତ୍ତ୍ୱେ ନାବାଳକକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଯେଉଁମାନେ ଏଥିରେ ସାମିଲ ଥିଲେ ସମସ୍ତ ଅଗ୍ନିଶମ କର୍ମଚାରୀଙ୍କୁ ପରସ୍କୃତ କରାଯିବ ବୋଲି ଡିଜି କହିଛନ୍ତି ।