ଭଦ୍ରକ/ସୋନପୁର: ରାଜ୍ୟରେ ଦୁଇ ଦୁଇଟି ଆତ୍ମହତ୍ୟା ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି । ଜଣେ ନିଟ୍ ପରୀକ୍ଷାର୍ଥୀ ମାନସିକ ଚାପରେ ଜୀବନ ହାରିଛନ୍ତି । ଅନ୍ୟପକ୍ଷରେ ସୋନପୁରରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ।
ଭଦ୍ରକ ଜିଲ୍ଲା ଟ୍ରେଜେରୀ ଅଫିସ୍ ପଛ ପାର୍ଶ୍ୱରୁ ଏକ ଭଡ଼ା ଘରୁ ଜଣେ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସେ ଜଣେ ନିଟ୍ ଆଶାୟୀ ଅଟନ୍ତି । ସେ ତିହିଡ଼ି ବ୍ଲକ ନୁନ୍ଦର ଗାଁର ବାସିନ୍ଦା ଜ୍ୟୋତି ପ୍ରକାଶ ବାରିକ ଅଟନ୍ତି । ଜ୍ୟୋତି ପ୍ରକାଶ ଗତ ବର୍ଷ ପ୍ରଥମ ଥର ପାଇଁ ନିଟ୍ ପରୀକ୍ଷା ଦେଇ ବିଫଳ ହୋଇଥିଲେ । ତେବେ ଚଳିଥଥର ଛାତ୍ର ଜଣକ ଗତ ୩ ତାରିଖ, ରବିବାରରେ ନିଟ୍ ପରୀକ୍ଷା ଦେଇଥିଲେ । ଘରକୁ ଆସି ମାର୍କିଂ କରିଥିଲେ । କିନ୍ତୁ ପରୀକ୍ଷାରେ ଆଶାତୀତ ପ୍ରଦର୍ଶନ କରିପାରିନଥିବା କହୁଥିଲେ । ଯାହାକୁ ନେଇ ସେ ଚିନ୍ତାଗ୍ରସ୍ତ ଥିଲେ । ତେବେ ଆଜି ସକାଳୁ ଭଡ଼ା ଘରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ତିହିଡ଼ି ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିଛି । ଏ ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ସୋନପୁର ଜିଲ୍ଲା ବିନିକା ଥାନା ଗୁଲୁଣ୍ଡା ସିଲାଟି ରାସ୍ତା କଡ଼ ଏକ ବରଗଛରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ରାସ୍ତାରେ ଯାଉଥିବା ଲୋକେ ଯୁବକ ଯୁବତୀଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହ ଦୁଇଟିକୁ ଜବତ କରିଛି । ଗଛ ମୂଳରୁ ଗୋଟିଏ ବ୍ୟାଗ୍ ଏବଂ ଉଭୟଙ୍କ ଚପଲ ମିଳିଛି । ଉଭୟଙ୍କ ପରିଚୟ ମିଳି ପାରିନାହିଁ । ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ଛାନଭିନ ଆରମ୍ଭ କରିଛନ୍ତି । ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଆତ୍ମହତ୍ୟା ଜନିତ ମାମଲା ଜଣାପଡ଼ିଛି । ତଥାପି ପୋଲିସ ତଦନ୍ତ ଜାରି ରଖିଛି ।