ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ତଥା ରାୟବରେଲୀର ସାଂସଦ ରାହୁଲ ଗାନ୍ଧୀ ଦ୍ୱୈତ ନାଗରିକତା କେସ ପରେ ଏବେ ଆଉ ଏକ ନୂଆ ମାମଲାରେ ଫସିବାକୁ ଯାଉଛନ୍ତି । ଆହ୍ଲାବାଦର ଲଖନଉ ବେଞ୍ଚ କଂଗ୍ରେସ ନେତାଙ୍କ ବିରୋଧରେ ଆୟ ବର୍ହିଭୂତ ସଂପତି ମାମଲାରେ ଯାଞ୍ଚ କରିବା ନେଇ ଦାଖଲ ଯାଚିକା ଉପରେ ମେ ୧୨ରେ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ।
ବିଚାରପତି ରାଜେଶ ସିଂ ଚୌହାନ ଓ ବିଚାରପତି ଜଫିର ଅହମ୍ମଦଙ୍କ ପୀଠ କର୍ଣ୍ଣାଟକର ବିଜେପି କର୍ମୀ ଏସ ଭିଗ୍ନେଶ ଶିଶିରଙ୍କ ଦ୍ୱାରା ଦାଖଲ ଯାଚିକା ଉପରେ ଆଦେଶ ପାରିତ କରିଛନ୍ତି । ଏହି ଯାଚିକା ଶୁଣାଣି ଯୋଗ୍ୟ କି ନୁହେଁ, ଏହା ଉପରେ ଅଦାଲତ ମେ ୧୨ରେ ଶୁଣାଣି ସମୟରେ ଆବେଦନକାରୀଙ୍କ ଯୁକ୍ତି ଶୁଣିବେ ।
ଆୟ ବର୍ହିଭୂତ ସଂପତି ମାମଲାରେ ଯାଚିକା
ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଖଲ ଯାଚିକାରେ ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ସାଂସଦ ଓ ତାଙ୍କ ପରିବାରଙ୍କ ପାଖରେ ଆୟ ବର୍ହିଭୂତ ସଂପତି ବହୁତ ରହିଛି । ଏହାର ନିରପେକ୍ଷ ଓ ପାରଦର୍ଶି ସହ ତଦନ୍ତ ହେବା ଉଚିତ୍ । ଏହି ଯାଚିକା ଗତ ବର୍ଷ ଏପ୍ରିଲ ୨୫ରେ ଦାୟର କରାଯାଇଥିଲା ।
ଏହି ଯାଚିକାରେ କେନ୍ଦ୍ର ସରକାର, ସିବିଆଇ, ଇଡି, କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ, ଉତ୍ତର ପ୍ରଦେଶ ପୋଲିସକୁ ପକ୍ଷଭୁକ୍ତ କରାଯାଇଛି । ପୀଠ ବୁଧବାର ମାମଲାର ଶୁଣାଣି କରିଛନ୍ତି ମାତ୍ର ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଅଦାଲତର ୱେବସାଇଟରେ ଅପଲୋଡ କରାଯାଇ ନ ଥିଲା ।