ମୁମ୍ବାଇ: ଗୁଜରାଟର ବହୁ ଚର୍ଚ୍ଚିତ ସୋହରାବୁଦ୍ଦୀନ ଶେଖ ଏନକାଉଣ୍ଟର ମାମଲାରେ ବମ୍ବେ ହାଇକୋର୍ଟ ୨୧ ପୋଲିସ କର୍ମଚାରୀ ସମେତ ୨୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏକ ମିଥ୍ୟା ଏନକାଉଣ୍ଟରରେ ଗୁଜରାଟ ପୋଲିସ ସୋହରାବୁଦ୍ଦୀନ ଶେଖ ଓ ତୁଳସୀରାମ ପ୍ରଜାପତିଙ୍କୁ ହତ୍ୟା କରାଯାଇଥିଲା । ଏହା ବ୍ୟତୀତ ସୋହରାବୁଦ୍ଦୀନ ଶେଖଙ୍କ ପତ୍ନୀ କୌସର ବିଙ୍କୁ ମଧ୍ୟ ହତ୍ୟା କରାଯିବାର ଅଭିଯୋଗ ହୋଇଛି ।୨୦୦୬-୦୬ ଏହି ମାମଲାରେ ୨୦୧୮ ଡିସେମ୍ବରରେ ସ୍ୱତନ୍ତ୍ର ଅଦାଲତ ସମସ୍ତ ୨୨ ଅଭିଯୁକ୍ତଙ୍କୁ ଖଲାସ କରିଥିଲେ । ଏଥିରୁ ୨୧ ପୋଲିସ କର୍ମଚାରୀ ସାମିଲ୍, ଯେଉଁମାନେ ଗୁଜରାଟ, ରାଜସ୍ଥାନ ଓ ଆନ୍ଧ୍ର ପ୍ରଦେଶର ଥିଲେ ।
ସ୍ୱତନ୍ତ୍ର ଅଦାଲତଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ୨୦୧୯ ଏପ୍ରିଲରେ ଚ୍ୟାଲେଞ୍ଜ କରିଥିଲେ ସୋହରାବୁଦ୍ଦୀନଙ୍କ ଦୁଇ ଭାଇ । ଏବେ ଏହି ମାମଲାର ୭ ବର୍ଷ ପରେ ହାଇକୋର୍ଟ ସ୍ୱତନ୍ତ୍ର ଅଦାଲତଙ୍କ ରାୟକୁ ବଳବତ୍ତର ରଖିଛନ୍ତି । ଭାରତରେ ସବୁଠୁ ବଡ ଚର୍ଚ୍ଚିତ ଏନକାଉଣ୍ଟର ମାମଲା ମଧ୍ୟରୁ ଅନ୍ୟତମ ସୋହରାବୁଦ୍ଦୀନ ମାମଲା ପୂରା ଦେଶରେ ଚର୍ଚ୍ଚିତ ବିଷୟ ପାଲଟିଥିଲା ।
ଏହି ଏନକାଉଣ୍ଟର ସେହି ସମୟରେ ହୋଇଥିଲା, ଯେତେବେ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ସେହି ସମୟରେ ବିରୋଧୀ ଏହି ମାମଲାକୁ ନେଇ ନରେନ୍ଦ୍ର ମୋଦୀଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ । ଏହି ମାମଲାର ପ୍ରାରମ୍ଭିକ ଯାଞ୍ଚ ଗୁଜରାଟ ଷ୍ଟେଟ ସିଆଇଡି କ୍ରାଇମ କରିଥିଲା । ଏହା ବ୍ୟତୀତ ଗୁଜରାଟ ଏଟିଏସ ମଧ୍ୟ ମାମଲାରେ ସାମିଲ୍ ଥିଲା ।
ପୁଣି ସୁପ୍ରିମକୋର୍ଟ ୨୦୧୦ରେ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଥିଲେ । ଏହା ବ୍ୟତୀତ ମୋକଦ୍ଦମାର ଟ୍ରାଏଲ ଗୁଜରାଟରୁ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟକୁ ଟ୍ରାନ୍ସଫର କରି ଦିଆଯାଇଥିଲା । ୨୦୧୮ରେ ଟ୍ରାଏଲ କୋର୍ଟ ନିଜ ନିଷ୍ପତ୍ତିରେ କହିଥିଲେ ଯେ, ସୋହରାବୁଦ୍ଦୀନ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଥିଲା । ସେ ହତ୍ୟା, ଲୁଟପାଟ ଓ ଅପହରଣ ପରି ଅନେକ କାଣ୍ଡ ଭିଆଇଥିଲା । ତା ବିରୋଧରେ ଗୁଜରାଟ ଓ ରାଜସ୍ଥାନରେ ଅନେକ ମୋକଦ୍ଦମା ରୁଜୁ ହୋଇଥିଲା ।