ପୁରୀ: ଠିକ୍ ଅମଳ ବେଳକୁ ଧାନରେ ଲାଗିଲା ପୋକ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ତାଳତଅଁଳା ଗ୍ରାମରେ ରୋଗପୋକ ଆତଙ୍କ ଦେଖା ଦେଇଛି । ଅମଳ ହେବାକୁ ଥିବା ପାଖାପାଖି ୨ଶହ ୫୦ଏକରରୁ ଉର୍ଦ୍ଧ୍ୱ ରବି ଫସଲରେ ଲାଗିଛନ୍ତି ରୋଗପୋକ । ଯାହାକୁ ଦେଖି ଚିନ୍ତାରେ ଚାଷୀ ।
କୃଷି ବିଭାଗ ପରାମର୍ଶ ଅନୁଯାୟୀ ବଜାରରେ ମିଳୁଥିବା ଉନ୍ନତ ମାନର ବିହନ, ସାର ଏବଂ ଔଷଧ ପକାଇ ଚାଷ କରିଥିଲେ ମଧ୍ୟ ଉଜୁଡା ଫସଲ ଦେଖି ଚାଷୀ କୂଳ ନିରାଶ । ଏକର ଏକର ଧାନ ଫସଲ କିଆରିରେ ପୋକ ଲାଗିଛି । ପାଚିଲା ଧାନରେ ପୋକ ଲାଗି ଏବେ ଖାଲି ଅଗାଡ଼ି ବଞ୍ଚିଛି । ଏପଟେ ଧାର,ଉଦ୍ଧାର ଏବଂ ବ୍ୟାଙ୍କରୁ ଋଣ ଆଣି ଚାଷ କରିଥିବା ଚାଷୀ ଏବେ କିପରି ନିଜ ପରିବାର ପ୍ରତିପୋଷଣ କରିବା ସହିତ ଋଣ ପରିଶୋଧ କରିବ ତାକୁ ନେଇ ସମସ୍ୟା ଉପୁଜିଛି ।
ଗତ ବର୍ଷ ବଜାରରେ ମିଳୁଥିବା ସାର,ଔଷଧ ଏବଂ କୀଟନାଶକ ସଠିକ୍ ଢଙ୍ଗରେ କାମ କରିବା ସହ ଧାନ ଅମଳ ଭଲ ପରିମାଣରେ ହୋଇଥିଲା କିନ୍ତୁ ଚଳିତ ବର୍ଷ ଏକର ପିଛା ବସ୍ତେ ଧାନ ମିଳିବ କି ନାହିଁ ସନ୍ଦେହରେ ଚାଷୀ । ନିମ୍ନମାନ ସାର ଓ ଔଷଧ ଯୋଗୁଁ ଏଭଳି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । କ୍ଷତି ପୂରଣ ନ ମିଳିଲେ ଶତାଧିକ ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି । ରିପୋର୍ଟ ଆସିଲେ ସରକାରୀ ବ୍ୟବସ୍ଥା ଅନୁଯାୟୀ ଚାଷୀଙ୍କୁ କ୍ଷତି ପୂରଣ ଦିଆଯିବା ସହିତ ବଜାରରେ ମିଳୁଥିବା କୀଟନାଶକ, ଔଷଧର ମାନ ଯାଞ୍ଚ ପାଇଁ ମିଳିତ ଚଢ଼ାଉ କରାଯିବ ବୋଲି ସ୍ଥାନୀୟ ତହସିଲଦାର କହିଛନ୍ତି ।