ଭୁବନେଶ୍ୱର: ଫେରିବ ମହାପ୍ରଭୁଙ୍କ ଜମି । ରାଜ୍ୟ ଏବଂ ରାଜ୍ୟ ବାହାରେ ଥିବା ଶ୍ରୀଜଗନ୍ନାଥଙ୍କ ଜମିକୁ ଦଖଲକୁ ଆଣିବେ ସରକାର । ଏ ନେଇ ଆଜି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଲୋଚନା ହୋଇଛି ।
ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ଜମି ପାଇଁ ୟୁନିଫର୍ମ ସେଟେଲମେଣ୍ଟ ଆକ୍ଟ ୨୦୦୩ର ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକତା ରହିଛି । ସେଥିପାଇଁ ଏ ଦିଗରେ ମନ୍ଦିର ପ୍ରଶାସନ, ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ବୈଠକ ହୋଇଛି । ଆଜିର ବୈଠକରେ ଏକ ନିର୍ଯ୍ୟାସ ବାହାରିଛି । ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଫେରାଇ ଆଣିବାକୁ ରୂପ ରେଖ ପ୍ରସ୍ତୁତ ହୋଇଛି । ରାଜ୍ୟ ଭିତରେ ଏବଂ ବାହାରେ ଥିବା ମହାପ୍ରଭୁଙ୍କ ଜମିକୁ ଫେରାଇ ଅଣାଯିବ । ପାଖାପାଖି ୩୬ ହଜାର ଏକର ଜମି ଜବରଦଖଲରେ ରହିଛି । ପ୍ରାୟ ୨୫ ରୁ ୨୬% ଜମିରେ ଲମ୍ବା ସମୟ ଧରି ଲୋକମାନେ ବସତି ସ୍ଥାପନ କରିଛନ୍ତି । ସେମାନଙ୍କୁ ଉଚ୍ଛେଦ ନ କରାଯାଇ କିଭଳି ଭାବେ ସେମାନଙ୍କୁ ଥଇଥାନ କରାଯିବ ଲୋକଙ୍କ ସରକାର ଚିନ୍ତା କରୁଛନ୍ତି । ଫଳରେ ମହାପ୍ରଭୁଙ୍କ ପାଇଁ ବଡ଼ କର୍ପସ ଫଣ୍ଡ ଗଠନ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।
ଆଜିର ବୈଠକରେ ଜଷ୍ଟିସ୍ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀ ଏବଂ ଅନ୍ୟାନ୍ୟ ଅଧିକାରୀ ଗଣ ଉପସ୍ଥିତ ଥିଲେ ।